ଭୁବନେଶ୍ୱର: ଶେଷରେ ଯାହା ଆଶା କରାଯାଉଥିଲା ବୁଧବାର ୧୧ଟାରେ ସେଇଆ ଘଟିବାକୁ ଯାଉଛି । ଦୀର୍ଘଦିନର ଶତ୍ରୁତା ଓ ବାକଯୁଦ୍ଧ ପରେ ଶେଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଧରିବାକୁ ଯାଉଛନ୍ତି ଯାତ୍ରା ପାର୍ଟି ମାଲିକ ତଥା ଓଡ଼ିଶା ମିଡିଆ ଇଣ୍ଡଷ୍ଟ୍ରୀର ଅପ୍ରତିନ୍ଦ୍ୱନ୍ଦ୍ୱୀ ନାୟକ ଓ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ।
ସୌମ୍ୟ ବିଧିବଦ୍ଧ ଭାବେ ନବୀନ ନିବାସରେ ପହଞ୍ଚି ବିଜେଡିରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏଥିସହ ସୌମ୍ୟ ବିଜେଡି ଟିକେଟରୁ ହିଁ ରାଜ୍ୟସଭାକୁ ନିର୍ବାଚିତ ହେବେ । ଏନେଇ ଆଜି ଶଙ୍ଖ ଦଳିଆଙ୍କ ଶିବିରରେ ଚର୍ଚ୍ଚା ଜୋର ଧରିଛି । ସେହିପରି ସୌମ୍ୟଙ୍କ ମାଠିଆ ଦଳିଆଙ୍କ ପକ୍ଷରୁ ମଧ୍ୟ ଆଜି ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଶେଷରେ ମାଠିଆ ଦଳ ଶଙ୍ଖ ଦଳରେ ଲୀନ ହେବ ବୋଲି ନିଷ୍ପତ୍ତି ହୋଇଛି ।
ଉଲ୍ଲେଖଯୋଗ୍ୟ ସୌମ୍ୟ ପଟ୍ଟନାୟକ ଦୀର୍ଘଦିନରୁ ରାଜ୍ୟସଭାକୁ ନିଜକୁ ମନବଳାଇଥିଲେ । ହେଲେ ତାଙ୍କୁ କୌଣସି ଦଳ ସୁଯୋଗ ଦେଉନଥିଲା । ନିଜ ଦଳର ସ୍ଥିତି ନଥିବାରୁ ସୌମ୍ୟଙ୍କ ସ୍ୱପ୍ନ ଯେ କେବେ ସାକାର ହୋଇପାରିବ, ସେନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ସୌମ୍ୟଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ସେ ଯେଉଁ ଦଳକୁ ଓଡ଼ିଶବାସୀଙ୍କ ବିରୋଧୀ ବୋଲି ବାରମ୍ବାର ସମ୍ବୋଧନ କରୁଥିଲେ, ସେହି ଦଳର ଗୁଣଗାନ କରିବାକୁ ଯାଉଛନ୍ତି । ଅର୍ଥାତ ଆସନ୍ତାକାଲି ଠାରୁ ସେ ବିଜେଡି କଥା କହିବେ । ବିଜେଡିକୁ ପ୍ରଶଂସା କରିବେ ।
ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀରେ ସୌମ୍ୟ ସଦଳବଳେ ବିଜେଡିରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଝିଅ ତନୟା ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ବିଜେଡି ଟିକେଟ୍ ଦେବେ କି ନାହିଁ ତାଙ୍କୁ ନେଇ ଚାଲିଥିବା ଅଙ୍କକଷା ମଧ୍ୟରେ ଏହି ମହାମିଳନରେ ସାମାନ୍ୟ ବିଳମ୍ବ ଘଟିଥିଲା । ଏବେ ଶୁଣିବାକୁ ମିଳୁଛି ତନୟାଙ୍କୁ ଆସନ୍ତା ନିର୍ବାଚନରେ ବିଜେଡି ପକ୍ଷରୁ ଖଣ୍ଡପଡ଼ା ପାଇଁ ପ୍ରାର୍ଥୀ କରାଯିବ । ବିଜେଡି ସୁପ୍ରିମୋ ଏନେଇ ପ୍ରତିଶ୍ରୁତି ଦେବା ପରେ ସୌମ୍ୟ କୁଆଡ଼େ ବିଜେଡିର ମଙ୍ଗ ଧରିବାକୁ ରାଜି ହୋଇଛନ୍ତି ।
ଓଡ଼ିଶାରେ ଦୈନିକ ସମ୍ବାଦ ହିଁ ଏକମାତ୍ର ଖବରକାଗଜ ଭାବେ ବିଜେଡିକୁ ଦୀର୍ଘ ବର୍ଷ ହେଲା ସମାଲୋଚନା କରି ଆସୁଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବାଦ ସମାଲୋଚନା କରୁଥିଲା । ୨୦୦୦ ମସିହାରେ ନବୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପରେ ସମ୍ବାଦ ହିଁ ତାଙ୍କୁ ରାଜନୀତିର ପାଠ ପଢ଼ାଇଥିଲା । ଏହା ପଛରେ ସୌମ୍ୟଙ୍କ ହାତ ହିଁ ଥିଲା । ହେଲେ ଏବେ ସେହି ନବୀନଙ୍କ ଆଶ୍ରିତ ହେବାକୁ ଯାଉଛନ୍ତି ସୌମ୍ୟ ପଟ୍ଟନାୟକ ।
କଂଗ୍ରେସରୁ ତଡ଼ା ଖାଇବା ପରେ ସୌମ୍ୟଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ସୌମ୍ୟଙ୍କ ନୂଆ ଇନିଂସ କେଉଁ ରୂପ ନେଉଛି, ତାକୁ ରାଜନୀତିକ ବିଶ୍ଲେଷକମାନେ ବେଶ ଉତ୍ସକତାର ସହ ଚାହିଁ ବସିଛନ୍ତି । କୁହାଯାଏ ସୌମ୍ୟ ପଟ୍ଟନାୟକଙ୍କ ଓଡ଼ିଶାରେ ପରିଚିତ କରାଇବାରେ ଦିବଂଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତ ରହିଥିଲା । ସଂଯୋଗ ବଶତଃ ଜାନକୀବାବୁ ହେଉଛନ୍ତି ବିଜୁବାବୁଙ୍କ ଚିରଶତ୍ରୁ । ହେଲେ ସେହି ଚିରଶତ୍ରୁଙ୍କ ପୁଅଙ୍କ ସହ ମିଶି ସୌମ୍ୟ ପରୋକ୍ଷରେ ଜାନକୀବାବୁଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି କିଛି ରାଜନୀତିକ ସମୀକ୍ଷକ ମତ ଦେଇଛନ୍ତି ।
Ashis Kumar Das
Well come sir
It’s good for odisha politics