ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ମାତ୍ର କେଇ ଘଣ୍ଟା ବାକି ରହିଛି ଭୋଟ ଗଣତି ପାଇଁ । ଦିଲ୍ଲୀରୁ ପଲ୍ଲୀ ନେତାଙ୍କଠାରୁ ଜନତା ସମସ୍ତଙ୍କ ଛାତି ଧଡଧଡ । କିଏ କେଉଁ ଆସନରେ ଜିତିବ ଏବଂ କିଏ ସରକାର ଗଠନ କରିବ ତାକୁ ନେଇ ପାନ ଦୋକାନରୁ ଅଫିସ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ନିକଟରେ ପ୍ରକାଶ ପାଇଥିବା ଏକଜିଟ ପୋଲ ଫଳାଫଳକୁ ନେଇ କେତେକ ନେତା ଖୁସିରେ କୁରୁଳୁଥିବା ବେଳେ ଆଉ କେତେକ ଏହାକୁ ବିଶ୍ୱାସ କରୁ ନାହାଁନ୍ତି । ଏଣୁ ସମସ୍ତ ନଜର ରହିଛି ଆସନ୍ତା କାଲିର ଗଣତି ଉପରେ ।
କେନ୍ଦ୍ରରେ କିଏ ସରକାର ଗଠନ କରିବ ଏବଂ ରାଜ୍ୟରେ କିଏ ସରକାର ଆସୁଛି ତାକୁ ନେଇ ସବୁ ଜାଗାରେ ଭିନ୍ନ ଭିନ୍ନ ଚର୍ଚ୍ଚା । କେନ୍ଦ୍ର ଏବଂ ରାଜ୍ୟରେ ଝୁଲା ସରକାର ଗଢ଼ିବ ବୋଲି ପୂର୍ବରୁ ରାଜନୈତିକ ବିଷାରଦମାନେ ମତ ଦେଇଛନ୍ତି । ତେବେ ଏକଜିଟ ପୋଲ ରିପୋର୍ଟ ମୁତାବକ କେନ୍ଦ୍ରରେ ପୁଣିଥରେ ଏନଡିଏ ସରକାରକୁ ଆସୁଥିବା ବେଳେ ରାଜ୍ୟରେ ୫ମ ଥର ଲାଗି ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କିନ୍ତୁ ଏକଜିଟ ପୋଲ ଏକଜାଟ ପୋଲ ହୋଇନଥିବାରୁ ଏହାକୁ ଅନେକ ବିଶ୍ୱାସ କରୁନାହାଁନ୍ତି ।
ଆସନ୍ତା କାଲି ଫଳାଫଳ ପ୍ରକାଶ ପାଇବା ପରେ ଚଳିତ ମାସ ୨୬ ତାରିଖରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ନିର୍ବାଚିତ ବିଧାୟକଙ୍କ ଏକ ତାଲିକା ପ୍ରଦାନ କରାଯିବ । ଏହାପରେ ଆସନ୍ତା ୨୭ ତାରିଖରେ ସରକାର ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୭ରୁ ୩୦ ମଧ୍ୟରେ ମନ୍ତ୍ରୀ ଏବଂ ବିଧାୟକମାନେ ଶପଥ ଗ୍ରହଣ କରିବେ । ତେବେ ରାଜଭବନରେ ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ରାଜ୍ୟରେ କିଏ ସରକାର କିଏ ଗଠନ କରିବ ତାଉପରେ ସମସ୍ତଙ୍କ ନଜର ।