ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ୨୦୧୯ ସାଧାରଣ ନିର୍ବାଚନ । ସରକାର ଗଢ଼ିବା ପାଇଁ ସବୁ ଦଳ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ତେବେ କଂଗ୍ରେସ ଓଡିଶାରେ କଂଗ୍ରେସର ସ୍ଥିତି ଜାହିର କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି । ଓଡିଶା ପ୍ରଭାବରୀ ଭାବରେ ଏବେ ଟି. ଛତିଶଗଡ଼ରେ ମନ୍ତ୍ରୀ ଥିବା ଟି. ଏସ୍. ସିଂଦେଓଙ୍କୁ ନୂଆ ପ୍ରଭାରୀ ନିଯୁକ୍ତ କରିଛି ଏଆଇସିସି । ସିଂଦେଓଙ୍କୁ ସାମୟିକ ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ପ୍ରଭାରୀ ଥିବା ଜିତେନ୍ଦ୍ର ସିଂହଙ୍କ ସହ ଟି.ଏସ୍ ସିଂହଦେଓ ଦାୟିତ୍ୱରେ ରହିବେ ।
ଛତିଶଗଡ଼ ନିର୍ବାଚନରେ କଂଗ୍ରେସର ସଫଳତା ପଛରେ ଟି.ଏସ୍. ସିଂହଦେଓଙ୍କ ପ୍ରମୁଖ ଭୂମିକା ଥିଲା । ଛତିଶଗଡ଼ରେ ବିଜେପି କ୍ଷମତାରେ ଥିବା ବେଳେ ସେ ବିରୋଧୀ ଦଳ ନେତା ଦାୟିତ୍ୱରେ ଥିଲେ । ଏପଟେ ସିଂହଦେଓଙ୍କ ନିଯୁକ୍ତି ନେଇ ପ୍ରତିକ୍ରୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଟି. ଏସ୍. ସିଂଦେଓଙ୍କ ନିଯୁକ୍ତିକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଆସନ୍ତା ୧୦ ଦିନ ମଧ୍ୟରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ ବୋଲି କହିଛନ୍ତି ପିସିସି ସଭାପତି ।
ନିକଟରେ ଯେଭଳି ୩ଟି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିଛି ସେହିଭଳି ଓଡିଶାରେ ମଧ୍ୟ ସରକାର ଗଠନ କରିବା ପାଇଁ ଫୁଲ ଦମରେ ରହିଛି ଦଳ । ଦଳର ହାଇକମାଣ୍ଡଙ୍କ ବାରମ୍ବାର ଓଡିଶା ଗସ୍ତ ଏବଂ ଗୁରୁମନ୍ତ୍ରକୁ ନେଇ ବେଶ ଚର୍ଚ୍ଚାରେ ରହିଛି କଂଗ୍ରେସ । ତେବେ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିବ ବୋଲି ସୂଚନା ଦେଇଛି । ଆଗୁଆ ପ୍ରାର୍ଥୀ ଘୋଷଣା କରିବା ଦ୍ୱାରା ନିଜ ଅଞ୍ଚଳରେ ଫିଲ୍ଡ ସଜାଇବାକୁ ସହଜ ହେବ । ତେବେ ସେ ଯାହାବି ହେଉ ଦୁଇ ଜଣ ଓଡିଶା ପ୍ରଭାରୀ ଦାୟିତ୍ୱରେ ରହିବା ପରେ ଓଡିଶା ରାଜନୀତିରେ କିଛି ପରିବର୍ତ୍ତନ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।