ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୋଦି ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଥରେ ପ୍ରଧାନମନ୍ତ୍ରୀ ହୋଇସାରିଲେଣି । ନବୀନ ପଟ୍ଟନାୟକ ମଧ୍ୟ ଚାରିଥର ଓଡିଶାରେ ମୁଖ୍ୟମନ୍ତ୍ରୀ ଭାବରେ କାମ କରିସାରିଲେଣି । ଏବେ ସେମାନେ ଅବସର ନେବା ଦରକାର । ଏବଂ ଏମାନେ ଯୁବପିଢ଼ିଙ୍କୁ ବାଟ ଛାଡିବା ଦରକାର ବୋଲି କହିଛନ୍ତି ଢ଼େଙ୍କାନାଳ ସାଂସଦ ତଥାଗତ ଶତପଥୀ । ସେ କହିଛନ୍ତି ଆସନ୍ତା ୨୦୨୦ ବେଳକୁ ଦେଶର ମୋଟ ଜନସଂଖ୍ୟାର ୮୦ ଭାଗ ଲୋକଙ୍କ ବୟସ ୩୫ ବର୍ଷରୁ କମ ହେବ । ଏଣୁ ଅଧିକ ଯୁବକ ଥିବାରୁ ଏମାନଙ୍କୁ ବରିଷ୍ଟ ନେତା ମାନେ ବାଟ ଛାଡିବା ନିହାତି ଦରକାର ବୋଲି କହିଛନ୍ତି ।
ଦେଶର ପ୍ରାୟ ଗଣମାଧ୍ୟମ ନେତାଙ୍କ ଅଧିନରେ ରହୁଛନ୍ତି । ସେମାନଙ୍କ ଇଶାରାରେ କାମ କରୁଛନ୍ତି । ଟଙ୍କା ମାଧ୍ୟମରେ ଗଣମାଧ୍ୟମର କଣ୍ଠରୁଦ୍ଧ କରୁଛନ୍ତି ପଲ୍ଟିକାଲ ପାର୍ଟି । ‘ମୁମ୍ବାଇ ମିରର’କୁ ଦେଇଥିବା ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ତଥାଗତ । ଓଡିଶାରେ ମଧ୍ୟ ଅଧିକ ମିଡିଆ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣାଧିନ ରହିଛି । ଏମାନେ ମୁଖ୍ୟମନ୍ତ୍ରୀଙ୍କ ଇଶାରାରେ କାମ କରୁଛନ୍ତିବୋଲି କହିଛନ୍ତିି ତଥାଗତ । ନିକଟରେ ପରୋକ୍ଷ ରାଜନୀତିିରୁ ସନ୍ୟାସ ନେଇ ପୁଣିଥରେ ନିରପେକ୍ଷ ସାମ୍ବାଦିକତା ପାଇଁ ଆଗଭର ହୋଇଛନ୍ତି ତଥାଗତ । ଓଡିଶାରେ ନିରପେକ୍ଷ ସାମ୍ବାଦିକଙ୍କ ସଂଖ୍ୟା କମ ଥିବାରୁ ସେ ଏଭଳି ନିଷ୍ପତି ନେଇଛନ୍ତି ।
ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସୁଯୋଗ୍ୟ ସନ୍ତାନ ହେଉଛନ୍ତି ତଥାଗତ ଶତପଥୀ । ୨୦୦୪ ମସିହାରୁ ଢ଼େଙ୍କାନାଳ ଲୋକସଭା ଆସନରୁ ସେ ସାଂସଦ ଭାବରେ ନିର୍ବାଚିତ ହୋଇ ଆସୁଛନ୍ତି । ତେବେ ସେ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ଆଗରୁ ସୂଚନା ଦେଇଛନ୍ତି । ନିଜର ଦୈନିକ ଖବର କାଗଜ ‘ଧରିତ୍ରୀ’ରେ ନିରପେକ୍ଷ ଭାବରେ ସାମ୍ବାଦିକତା କରିବେ ତଥାଗତ । ସେ ଏହି ପେପରର ସମ୍ପାଦକ ଅଛନ୍ତି ।