ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବିଜେଡି ସାଂସଦ ତଥା ଦୈନିକ ସମ୍ବାଦପତ୍ର ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀ ଯାହା ଆଶଙ୍କା କରିଥିଲେ, ସେଇଆ ହେଲା । ତାଙ୍କ ବ୍ୟବସାୟିକ ଶତ୍ରୁ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ସୁପ୍ରିମୋ ନିଜ ଦଳରେ ସାମିଲ କଲେ । ଖାଲି ସାମିଲ କଲେନାହିଁ ତ ରାଜ୍ୟସଭା ଟିକେଟ୍ ମଧ୍ୟ ଦେଲେ ।
ବିଜେଡି ପକ୍ଷରୁ ସୌମ୍ୟଙ୍କୁ ଦଳରେ ସାମିଲ କରାଯିବା ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଏହାର ଆଭାସ ପ୍ରଥମେ ତଥାଗତ ହିଁ ପାଇଥିଲେ । ତେଣୁ ସେ ସୌମ୍ୟଙ୍କୁ ବିଜେଡିରେ ସାମିଲ ନକରିବା ପାଇଁ ଦଳରକୁ ନିଜର ସମ୍ପାଦକୀୟ ଜରିଆରେ ଚେତାବନୀ ଦେଇଥିଲେ । ତାଙ୍କ ସମ୍ପାଦକୀୟର ସାରାଂଶ ଥିଲା ଯଦି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରିବାରର କାହାକୁ ବି କୌଣସି ରାଜନୀତିକ ଦଳ ନିଜ ଦଳରେ ସାମିଲ କରିବ, ତା’ହେଲେ ତାହାର ସର୍ବନାଶ ହେବ । ଏପରି କି ମହାପ୍ରଭୁ ଜଗନ୍ନାଥ ନିଜେ ଏପରି ସର୍ବନାଶ କରିବେ ବୋଲି ତଥାଗତ ତାଙ୍କ ସମ୍ପାଦକୀୟରେ ଉଲ୍ଲେଖ କରିଥିଲେ । କିନ୍ତୁ ସେହି ଚେତାବନୀ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ବୁଧବାର ସେ ନଜେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରେ ସାମିଲ କରିବା ସହ ଦଳୀୟ ଟିକେଟ୍ରେ ରାଜ୍ୟସଭାକୁ ଯିବାକୁ ଘୋଷଣା କରିଛନ୍ତି ।
ଶୁଣିବାକୁ ମିଳୁଛି, ଏହି ଘୋଷଣାରେ ସବୁଠାରୁ ଅଧିକ ମର୍ମାହତ ହୋଇଛନ୍ତି ଧରିତ୍ରୀର ସମ୍ପାଦକ ତଥା ବିଜେଡି ସାଂସଦ ତଥାଗତ ସତପଥୀ । କାରଣ ସୌମ୍ୟ ଏବଂ ତଥାଗତଙ୍କ ଶତ୍ରୁତା କଥା ସମସ୍ତେ ଜାଣନ୍ତି । ଯେହେତୁ ସୌମ୍ୟ ଏବେ ବିଜେଡିରେ ସାମିଲ ହୋଇଛନ୍ତି, ତେଣୁ ତଥାଗତ ଓ ସୌମ୍ୟ ଗୋଟିଏ ଘାଟରେ ପାଣି ପିଇବେ । ପୁଣି ସୌମ୍ୟ ରାଜ୍ୟସଭାକୁ ଯିବାକୁ ଥିବାରୁ ଦିଲ୍ଲୀରେ ତଥାଗତଙ୍କ ସହ ତାଙ୍କର ସାକ୍ଷାତ ହେବ । କାଳେ ସୌମ୍ୟଙ୍କ ଦବ୍ଦବା ଆଗରେ ତାଙ୍କ ଦବ୍ଦବା କମିଯିବ, ସେହି ଭୟ କୁଆଡ଼େ ତଥାଗତଙ୍କୁ ଏବେ ଭୟ ଘାରିଛି ବୋଲି ଚର୍ଚ୍ଚା ହେଉଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ତଥାଗତ ବିଜେଡିର ଏହି ନିଷ୍ପତ୍ତିରେ ଆଦୌ ଖୁସୁ ନଥିବା ପରି ମେନ ହେଉଛି । ଯେହେତୁ ସେ ଦଳୀୟ ସାଂସଦ ତେଣୁ ସିଧାସଳଖ ଦଳ ବିରୋଧରେ ମୁହଁ ଖୋଲି ପାରିବେ ନାହିଁ । ଯଦି ବା ସିଏ ମୁହଁ ଖୋଲିବେ, ତା’ହେଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭଳି ଅବସ୍ଥା ତାଙ୍କର ହୋଇପାରେ । ତଥାଗତ ବହୁ ପୂର୍ବରୁ ବିଜେଡିକୁ ବିରୋଧ କରୁଥିଲେ । ଖାସ୍ ସେଥିପାଇଁ ଦଳୀୟ ସୁପ୍ରିମୋ ନବୀନବାବୁ ତାଙ୍କୁ ନିଲମ୍ବନ କରିଥିଲେ । ଏହାପରେ ତଥାଗତ ଅନ୍ୟ ଏକ ରାଜନୀତିକ ପାର୍ଟିରେ ଯୋଗ ଦେଇଥିଲେ । କିନ୍ତୁ ସେଠାରେ ସେ ନିଜ ରାଜନୀତିକ ଭବିଷ୍ୟତ ଦେଖି ନପାରି ପୁଣି ବିଜେଡି ସୁପ୍ରିମୋ ଆଶ୍ରିତ ହୋଇଥିଲେ । ସେବେଠାରୁ ତଥାଗତ କେବେ ହେଲେ ବି ସିଧାଳଖ ବିଜେଡି ବିରୋଧରେ କିଛି କହିନାହାନ୍ତି । ଅବଶ୍ୟ ନିଜ ଖବରକାଗଜ ଧରିତ୍ରୀକୁ ଢାଳ କରି ତଥାଗତ ମୁଖ୍ୟମନ୍ତ୍ରୀ, ତୃତୀୟ ମହଲା ଏବଂ ବିଜେଡିକୁ ତେରଚ୍ଛା ତୀର ମାରିବାର ନଜିର ରହିଛି । ଏହାକୁ ନେଇ ମଧ୍ୟ ବେଶ ହଟଚମଟ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ତଥାଗତ ଏକ ଖବରକାଗଜର ସମ୍ପାଦକ ହୋଇଥିବାରୁ ଦଳ ପକ୍ଷରୁ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଏବେ ସମାନ ସ୍ଥିତ ଉପୁଜିବ ବୋଲି ରାଜନୀତିକ ବିଶ୍ଲେଷକ ମାନେ ମତ ଦେଉଛନ୍ତି ।
ବିଜେଡି ସୌମ୍ୟଙ୍କୁ ଦଳରେ ସାମିଲ କରିଥିବାରୁ ତଥାଗତ ଏବେ ନିଜ ଖବରକାଗଜ ଜରିଆରେ ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଗୁରୁବାର ଧରିତ୍ରୀର ପ୍ରଥମ ପୃଷ୍ଠାକୁ ଦେଖିଲେ ଏହା ସହଜେ ଅନୁମେୟ ହେବ । କଟକ ମହାନଗର ନିଗମର ୭ ନମ୍ବର କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ ହେବା ଖବରର ଉପସ୍ଥାନ ଶୈଳୀ ତଥାଗତଙ୍କ ଆକ୍ରୋଶର ପ୍ରତିଫଳନ କରୁଛି । ଏହି ଖବରର ସିରୋନାମା ରହିଛି ‘ବିଜେଡି କର୍ପୋରେଟର୍ ଗରିଫ’ । ବିଜେଡିକୁ ଟାର୍ଗେଟ କରି ତଥାଗତଙ୍କ ଖବରକାଗଜ ଏହି ଖବରକୁ ପ୍ରକାଶ କରିଛି । ଏଥିରୁ ଆଗକୁ ଯେ ତଥାଗତ କ’ଣ କ’ଣ କରିବେ, ସେଥିରୁ ସ୍ପଷ୍ଟ ବାରି ହୋଇପଡ଼ିଛି ।
ତଥାଗତ ବିଜେଡି ବିରୋଧରେ ଯାହା ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା କେବଳ ଧରିତ୍ରୀ ଜରିଆରେ ହିଁ କରିବେ । କାରଣ ସିଧାସଳଖ କଲେ, ତାଙ୍କୁ ଦଳରୁ ବିଦା ହେବାକୁ ମଧ୍ୟ ପଡ଼ିପାରେ । ଦଳରୁ ବିଦା ହେଲେ, ତଥାଗତ ଭଲ ଭାବେ ଜାଣିଛନ୍ତି ତାଙ୍କ ରାଜନୀତି ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲିଯିବ । ତେଣୁ ଏପରି ସ୍ଥିତିରେ ତଥାଗତ କେବେ ହେଲେ ବି ଦଳ ବିରୋଧରେ ସିଧାସଳଖ ମନ୍ତବ୍ୟ ଦେବେନାହିଁ । ଆଗକୁ ସୌମ୍ୟ ଓ ତଥାଗତଙ୍କ ଲଢ଼େଇ ମଧ୍ୟରେ ବିଜେଡିର ଅବସ୍ଥା କ’ଣ ହେଉଛି, ତାହା ଦେଖିବାକୁ ବାକି ରହିଲା ।