ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଆସନ୍ତା କାଲି ୬ ଲୋକସଭା ଏବଂ ୪୨ବିଧାନସଭା ପାଇଁ ହେବ ମତଦାନ । ତେବେ ଏହି ଆସନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ସନ୍ଧ୍ୟା ୬ଟାରେ ପ୍ରଚାର କାର୍ୟ୍ୟ ଶେଷ ହୋଇଛି। ୧୦ ହଜାର ୪୬୪ଟି ବୁଥରେ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।
୬ଟି ଲୋକସଭା ପାଇଁ ୬୧ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ ଯୋଗ୍ୟ ପ୍ରତିନିଧି ଖାଜିବେ। ୪୨ଟି ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୩୫୬ ପ୍ରାର୍ଥୀଙ୍କ ମଧ୍ୟରୁ କିଏ ସେମାନଙ୍କୁ ପାଞ୍ଚ ବର୍ଷପାଇଁ ପ୍ରତିନିଧିତ୍ବ କରିବ, ତାହା ନିର୍ଣ୍ଣୟ କରିବେ। ମତଦାତାଙ୍କ ମଧ୍ୟରୁ ୪୭ ଲକ୍ଷ ୯୯ ହଜାର ୩୦ ଜଣ ପୁରୁଷ ଭୋଟର ଥିବା ବେଳେ ୪୪ ଲକ୍ଷ ୫୬ ହଜାର ୭୨୯ ଜଣ ମହିଳା ଭୋଟରଙ୍କ ସମେତ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟର ସାମିଲ ଅଛନ୍ତି।
ଆସନ୍ତା କାଲି ବହୁ ହେବିୱେଟ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ବରରେ ଅବସରପ୍ରାପ୍ତ ଆଇଏଏସ (ଅପରାଜିତା ଷଡଙ୍ଗୀ)-ଆଇପିଏସ୍ (ଅରୂପ ପଟ୍ଟନାୟକ) ପରୀକ୍ଷା ଦେବେ। କଟକରେ ଅଭିଜ୍ଞ ସାଂସଦ ଭର୍ତୃହରି ମହତାବ ଓ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର,କଂଗ୍ରେସର ଅଭିଜ୍ଞ ନେତା ପଞ୍ଚାନନ କାନୁନଗୋ ଏବଂ ପୁରୀରେ ଜାତୀୟ ସ୍ତରରେ ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ରଙ୍କ ଲୋକପ୍ରିୟତାର ପରୀକ୍ଷା ନିରୀକ୍ଷା ହେବ।ତେବେ ଆସନ୍ତାକାଲି ପିସିସି ସଭାପତି ନିରଞ୍ଜନଙ୍କ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ ହେବ ।