ଭୁବନେଶ୍ୱର (ଏଟିଆର ବୁରୋ); ପ୍ରାର୍ଥୀ ଘୋଷଣା ହେବା ପରେ ସବୁଠି ଚାଲିଛି ନିର୍ବାଚନକୁ ନେଇ ଚର୍ଚ୍ଚା । ସବୁ ନିର୍ବାଚନ ମଣ୍ଡଳୀ ଏବଂ ସଂସଦୀୟ କ୍ଷେତ୍ରରେ ଆରମ୍ଭ ହୋଇଛି ନିର୍ବଚନୀ ପ୍ରତିଦ୍ୱନ୍ଦିତା । ତେବେ କଳାହାଣ୍ଡି ଲୋକସଭା ଆସନରେ ତିନି ପ୍ରଖୁଖ ନେତା ନିର୍ବାଚନ ମଇଦାନ ଓହ୍ଲାଇଥିବା ବେଳେ ନିର୍ବାଚନୀ ମଇଦାନ ସରଗରମ ହେବ ବୋଲି ଅନୁମାନ କରାଯାଇଛି । ତିନି ପ୍ରଖୁଖ ରାଜନୈତିକ ଦଳ ଏହି ଆସନରୁ ବିଜୟ ହେବାରୁ ଆଶା ରଖିଛନ୍ତି । ବିଜେଡି ପକ୍ଷରୁ ଏଠାରେ ପୁଷ୍ପେନ୍ଦ୍ର ସିଂହଦେଓ ନିର୍ବାଚନକୁ ଓହ୍ଳାଇଥିବା ବେଳେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ଅପରପକ୍ଷରେ କଂଗ୍ରେସ ଏହି ଦୁଇ ବିରୋଧୀ ଦଳର ପ୍ରାର୍ଥୀଙ୍କ ବିରୋଧରେ ଭକ୍ତଚରଣ ଦାସଙ୍କୁ ଟିକେଟ ଦେଇଛି ।
ତିନି ପ୍ରମୁଖ ନେତା ଏଠାରେ ନିର୍ବାଚନ ଲଢ଼ୁଥିବାରୁ ଏଠାରେ ମହାଲଢ଼େଇ ହେବ ବୋଲି ଅନୁମାନ କରାଯାଇଛି । ବିଜେଡି ପକ୍ଷରୁ ଏଠାରେ ୨୦୧୪ ନିର୍ବାଚନରେ ଅର୍କକେଶରୀ ସିଂଦେଓ ନିର୍ବାଚନ ଜିତିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ତାଙ୍କୁ ଅଲୋଡା କରି ଦଳ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଟିକେଟ ଦେଇଛି । ଯାହାର ଫାଇଦା ବିରୋଧୀଙ୍କୁ ମିଳିପାରେ ବୋଲି ଅନୁମାନ କରାଯାଇଛି । କଂଗ୍ରେସର ଟାଣୁଆଁ ନେତା ଭକ୍ତଚରଣ ଦାସଙ୍କ ଭଲ ଲୋକପ୍ରିୟତା ମଧ୍ୟ ସଂସଦୀୟ କ୍ଷେତ୍ରରେ ରହିଛି । ୨୦୦୯ ନିର୍ବାଚନରେ ସେ ଏଠାରେ ବିଜୟ ହୋଇଥିଲେ । ଏଣୁ ଦଳ ତାଙ୍କ ଉପରେ ଭରଷା ରଖି ଟିକେଟ ଦେଇଛି ।
ଅପରପକ୍ଷରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଲୋକସଭା ଆସନ ପାଇଁ ଲଢ଼ୁଛନ୍ତି । ବିଜେପିର ତୁଙ୍ଗ ନେତା ହୋଇଥିବାରୁ ବସନ୍ତଙ୍କ ଦବଦବା ମଧ୍ୟ ଦେଖିବାକୁ ମିଳିଛି । ତିନି ମହାରଥୀ କେହି କାହାକୁ ଉଣା ହୋଇନଥିବାରୁ ଏଠାରେ ନିର୍ବାଚନ ସବୁଠାରୁ ହାଇଭୋଲଟେଜ ହେବ ବୋଲି ଅନୁମାନ କରାଯାଇଛି ।