ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସବୁ ଦଳରେ ଟିକେଟ ବଣ୍ଟାକୁ ନେଇ ଦେଖା ଦେଇଛି ଦଳ କନ୍ଦଳ । ତେବେ ଦୀର୍ଘ ଦିନର ସଂଗଠନ କରିଥିବା କେତେକ ନେତାଙ୍କ ଟିକେଟ ମଧ୍ୟ କଟିଯାଇଛି । ସବୁଠାରୁ ବିଜେଡିରେ ଅଧିକ ନେତାଙ୍କୁ ଦଳ ଅଲୋଡା ଭାବି ଟିକେଟ ଦେଇନାହିଁ । ଯାହାକୁ ନେଇ ସବୁଠି ଦେଖା ଦେଇଛି ଅସନ୍ତୋଷ । ତେବେ ଆସନ୍ତୁ ନଜର ପକାଇବା କିଛି ହେବିୱେଟ ନେତାଙ୍କ ସମ୍ପର୍କରେ ଯେଉଁମାନେ କି ବିଜେଡି ଟିକେଟ ନପାଇ ଦଳ ପାଇଁ ଅଲୋଡା ହୋଇଛନ୍ତି ।
ପ୍ରଶନ୍ନ ପାଟ୍ଟଶାଣୀ-ଦୀର୍ଘଦିନ ଧରି ବିଜେଡି ଟିକେଟରେ ବିନା ପୋଷ୍ଟର ବିନା ପ୍ରଚାରରେ ଜିତି ଆସୁଥିଲେ ବାବା ପ୍ରଶନ୍ନ ପାଟ୍ଟଶାଣୀ । ଗତଥର ଭୁବନେଶ୍ୱର ଲୋକସଭା ଆସନରୁ ବିଜୟ ହୋଇଥିଲେ ସୁଦ୍ଧା ଏଥରକ ତାଙ୍କୁ ଟିକେଟ ନଦେଇ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ଦଳ ।
ଶଶୀଭୂଷଣ ବେହେରା-ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ମନ୍ତ୍ରୀ ହୋଇଥିଲେ ଶଶୀଭୂଷଣ ବେହେରା । ସରକାର ଶେଷ ସମୟରେ କିଛି ଦିନ ପାଇଁ କାମଚଳା କୃଷିମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ସୁଦ୍ଧା ତାଙ୍କୁ ଟିକେଟ ଦେଇନାହଁ ଦଳ ।
ଦେବାଶିଷ ନାୟକ-ବରୀ ବିଧାୟକ ଦେବାଶିଷ ନାୟକ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । କିନ୍ତୁ ଏଥରକ ତାଙ୍କୁ ଟିକେଟ ଦେଇନାହିଁ । ୨୦୦୦ ମସିହାରୁ ନିର୍ବାଚନ ଜିତି ଆସୁଥିଲେ ସୁଦ୍ଧା ଏଥରକ ସେ ଦଳ ପାଇଁ ଅଲୋଡା ହୋଇଯାଇଛନ୍ତି ।
ରଘୁନାଥ ମହାନ୍ତି- ପାରିବାରିକ କଳହରେ ଫସିବା ପରେ ୨୦୧୪ରେ ରଘୁନାଥଙ୍କ ଟିକେଟ କଟିଥିଲା । କିନ୍ତୁ ଏଥରକ ଟିକେଟ ମିଳିବ ବୋଲି ଆଶା କରିଥିଲେ ସୁଦ୍ଧା ଟିକେଟ ମିଳିନଥିବାରୁ ଶେଷରେ ଦଳ ଛାଡିଥିଲେ ରଘୁନାଥ ।
ସିଦ୍ଧାନ୍ତ ମହାପାତ୍ର- ବ୍ରହ୍ମପୁର ଲୋକସଭା ଆସନରେ ବାଜି ମାରି ଆସୁଥିବା କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁଙ୍କ ହରାଇବା ପାଇଁ ବିଜେଡି ସିଦ୍ଧାନ୍ତଙ୍କୁ ପ୍ରଥମ ଥର ଲାଗି ୨୦୦୯ରେ ପ୍ରାର୍ଥୀ କରିଥିଲା । ସିଦ୍ଧାନ୍ତ ବିପୁଳ ପରିମାଣରେ ୨୦୦୯ରେ ବିଜୟୀ ହେବା ପରେ ଦଳ ୨୦୧୪ରେ ମଧ୍ୟ ପ୍ରାର୍ଥୀ କରିଥିଲା ଏବଂ ପୁଣିଥରେ ବିଜୟ ବାନା ଉଡାଇଥିଲେ । କିନ୍ତୁ ନିକଟରେ କଂଗ୍ରେସ ଛାଡି ବିଜେଡି ଯୋଗ ଯୋଗ ଦେଇଥିଲେ ଚନ୍ଦ୍ରଶେଖର । ଏଣୁ ଏଥରକ ଦଳ ତାଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଯାହା ଫଳରେ ସେ ଏଥରକ ଅଲୋଡା ହୋଇଯାଇଛନ୍ତି ।
ଏମାନଙ୍କ ବ୍ୟତିତ ଦଳରେ ବହୁ ନେତା ମଧ୍ୟ ଅଲୋଡା ହୋଇଛନ୍ତି । ଟିକେଟ ନମିଳିବା ପରେ ବାଧ୍ୟ ହୋଇ ଦଳ ଛାଡିଛନ୍ତି ।