ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି କଟକ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୩୧ କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୬୩ କୋଟି ଟଙ୍କାର ୪୧ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏଥିସହ ବାଲିଯାତ୍ରା ପଡିଆରେ ଆୟୋଜିତ ଯୁବ ସମାବେଶରେ ଯୋଗଦେବେ । କଟକ ସମେତ କେନ୍ଦ୍ରାପଡା, ଜଗତସିଂହପୁର ଓ ଢେଙ୍କାନାଳ ଜିଲାରୁ ବିଜୁ ଯୁବ ବାହିନୀର କର୍ମୀ ଏଥିରେ ସାମିଲ ହେବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ୩୫ ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିଯୁକ୍ତ ହୋଇଛନ୍ତି । ପ୍ରାୟ ୬୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନର କାର୍ୟ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ ଟା ବେଳେ ହେଲିକପଟର ଯୋଗେ ବାରଙ୍ଗରେ ପହଁଚି ଟାଟା ମେମୋରିଆଲ ହସପିଟାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ ଏବଂ ଜନ ସାଧାରଣ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ । ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କେବଳ ଲୋକ ଦେଖାଣିଆ ଗସ୍ତରେ ଯାଉଛନ୍ତି ଏବଂ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତି । ଯଦି ଏତେ ପ୍ରକଳ୍ପର ଉଦଘାଟନ କରିବାର ଥିଲା ତେବେ ପୂର୍ବରୁ କେଉଁଠି ଶୋଇଥିଲେ । ଏବେ ନିର୍ବାଚନ ପାଖେଇ ଆସୁଥିବାରୁ ନିଦ ଭାଙ୍ଗିଲା ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।
ସେପଟେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠିକି ଗସ୍ତ କରୁଛନ୍ତି । ଏଣୁ ନିର୍ବାଚନ ପାଖେଇ ଆସୁଥିବାରୁ ଆଗୁଆ ପ୍ରଚାର କରୁଛନ୍ତି ବୋଲି ମଧ୍ୟ ବିରୋଧୀମାନେ ଅଭିଯୋଗ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ସବୁ ଗସ୍ତରେ ବିଜୁ ଯୁବ ବାହିନୀମାନେ ରହୁଥିବାରୁ ଏମାନଙ୍କୁ ଗୁଣ୍ଡାଗର୍ଦି ପାଇଁ ରଖାଯାଇଛି । ଏବଂ ଏମାନେ ଆଗାମୀ ଦିନରେ ନିର୍ବାଚନରେ ଗୁଣ୍ଡାଗିରି କରିବେ ବୋଲି ମଧ୍ୟ ବିରୋଧୀମାନେ ମତ ଦେଇଛନ୍ତି ।