ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦଳୀୟ ଟିକେଟ ପାଇଁ ସବୁଠି ତୁମ୍ବିତୋଫାନ ଦେଖାଦେଉଥିବା ବେଳେ ଏଭଳି କିଛି ନେତା ଅଛନ୍ତି ଯେଉଁମାନେ କି ଟିକେଟ ପାଇ ମଧ୍ୟ ଶେଷ ସମୟରେ ଅନ୍ୟ ଦଳରେ ସାମିଲ ହେଉଛନ୍ତି । କାକଟପୁର ଆସନରୁ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇଥିଲେ ମଧ୍ୟ ସେ ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ସେ ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତାଙ୍କ ପରି ଉଚ୍ଚଶିକ୍ଷିତ ଯୁବପୀଢି ବିଜେଡିରେ ସାମିଲ ହେବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।
ଶେଷ ସମୟରେ ଦଳ ବିଜେପି ଛାଡିଥିବାରୁ ଦଳକୁ ଲାଗିଛି ଶକ୍ତ ଝଟକା । ପୂର୍ବରୁ ଆନନ୍ଦପୁରରେ ବିଜେପି ପୂର୍ବତନ ବିଧାୟକ ଭାଗୀରଥୀ ସେଠୀଙ୍କୁ ଟିକେଟ ଦେଇଥିଲେ ସୁଦ୍ଧା ସେ ଶେଷ ସମୟରେ ନିଷ୍ପତି ବଦଳାଇ ବିଜେଡିରେ ଯୋଗ ଦେଇଥିଲେ । ଏବେ ତୁଷାରକାନ୍ତ ତାଙ୍କ ରାସ୍ତାରେ ଯାଇଥିବାରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ବିଜେଡିର ବହୁ ଆଶାୟୀ ପ୍ରାର୍ଥୀଙ୍କ ଟିକେଟ କଟିବା ପରେ ସେମାନେ ବିଜେପି ଶିବିରରେ ଯୋଗ ଦେଉଥିଲେ । କିନ୍ତୁ ବିଜେପି ଟିକେଟ ପାଇବା ପରେ ମଧ୍ୟ ବିଜେଡିରେ ଯୋଗ ଦେବା ବିଜେପି ପାଇଁ ବହୁତ ଇଙ୍ଗ କ୍ଷତି । ତେବେ ଅମିତ ଶାହାଙ୍କ ୧୨୦ ପ୍ଳସ ଗଣିତକୁ ବିଜେପି ସ୍ୱପ୍ନ ଦେଖୁଥିବା ବେଳେ ଜଣକ ପରେ ଜଣେ ପ୍ରାର୍ଥୀ ଦଳକୁ ଧୋକା ଦେବା ଦଳକୁ ଅଶୁଭ ସଂକେତ ଦେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।