ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବିଧାନସଭାର ନୂତନ ଭାଚସ୍ପତି ହେଲେ ଭଞ୍ଜନଗରର ବିଧାୟକ ବିକ୍ରମ କେଶରୀ ଆରୁଖ । ୨୪ତମ ବାଚସ୍ପତି ଭାବେ ଗୃହରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ ବିକ୍ରମ କେଶରୀ ଆରୁଖଙ୍କ ନାଁ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ । ବାଚସ୍ପତି ପଦ ପାଇଁ ବିକ୍ରମ କେଶରୀ ଆରୁଖଙ୍କ ନାମ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବାଚସ୍ପତି ଭାବେ ବିକ୍ରମ କେଶରୀଙ୍କ ନାଁ ଘୋଷଣା ହେବା ପରେ ସମସ୍ତ ଶାସକ ଓ ବିରୋଧୀ ଦଳ ନେତାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ପଦମର୍ଯ୍ୟାଦା ରକ୍ଷା ସହ ଗୃହ ସୁପରିଚାଳନା କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି ।
ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ୧୯୯୫ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ଲଗାତର ଭାବେ ବିଜେଡି ଟିକେଟ୍ ରୁ ସେ ଜିତି ଆସୁଛନ୍ତି । ୨୦୦୯ରେ ଚତୁର୍ଥ ଥର ବିଧାୟକ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା ।