ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଦୁଇଟି ବୁଥରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଇଭିଏମ ମେସିନ କଚାଡି ଭାଙ୍ଗି ଦେଇଛନ୍ତି ଭୋଟର । ତେବେ ସେମାନେ କାହିଁକ ଭାଙ୍ଗିଛନ୍ତି ତାହା ଜଣା ପଡିନାହିଁ । ଯାଜପୁର ଜିଲ୍ଲା ଧର୍ମଶାଳାର ୧୭୩ ନମ୍ବର ବୁଥରେ ଇଭିଏମ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି । ସେହିପରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରହଣିଆ ପଞ୍ଚାୟତର ୨୭୩ ନମ୍ବର ବୁଥରେ ମଧ୍ୟ ଜଣେ ଭୋଟର ଇଭିଏମ ଭାଙ୍ଗଥିବା ଅଭିଯୋଗ ହୋଇଛି ।
ଧର୍ମଶାଳାରେ ଇଭିଏମ ଭାଙ୍ଗିଥିବା ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଅଟକ ରହିଥିବା ବ୍ୟକ୍ତି ଜଣକ ହେଲେ ଚହଟା ପଞ୍ଚାୟତର ସମିତି ସଭ୍ୟ ମନୋଜ ରାଉଳ । ସେ ଏକ ରାଜନୈତିକ ଦଳକୁ ସପୋର୍ଟ କରୁଥିବା ଶୁଣିବାକୁ ମିଳିଛି । ତେବେ ଧର୍ମଶାଳାରେ ଆଜି ସକାଳୁ ବିଜେପି ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଶୁଣିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ନିର୍ବାଚନ ଘୋଷଣା ହେବା ଦିନଠାରୁ ଏଭଳି ତୁତୁ ମେଁ ମେଁ ଲାଗି ରହିଥିବା ସୂଚନା ମିଳିଛି ।
ତେବେ ସକାଳୁ ସକାଳୁ ଖବର ଆସିଥିଲା କି ପୂର୍ବ ତିନୋଟି ପର୍ଯ୍ୟାୟ ଭଳି ଏଥର ବି କେତେକ ବୁଥରେ ଇଭିଏମ ମେସିନ କାମ କରୁନାହିଁ । ଯାହାକୁ ନେଇ ଭୋଟରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବହୁ ଭୋଟର ନିରାଶ ହୋଇ ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ପୂର୍ବ ତିନୋଟି ପର୍ଯ୍ୟାୟରେ ମଧ୍ୟ ଇଭିଏମ ମେସିନ ଏବଂ ଭିଭିଚାର୍ଟରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଯେଉଁ କାରଣରୁ ପରବର୍ତ୍ତୀ ତାରିଖରେ ମତଦାନ ହୋଇଛି ।