ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦିଲ୍ଲୀରୁ ପଲ୍ଲୀ ସବୁଠି ବହୁଛି ନିର୍ବାଚନୀ ହାୱା । ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିଲାଣି । ନେତାମାନେ ଜନତାଙ୍କ ମନମୋହିବା ପାଇଁ କଳବଳ ସବୁ ଲଗାଇ ଦେଲେଣି । ତେବେ ଭୁବନେଶ୍ୱର ଲୋକସଭା ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଏଠାରେ କାହାକୁ କେଉଁ ଦଳରୁ ଟିକେଟ ମିଳିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସବୁ ଦଳରେ ରହିଛନ୍ତି ଗଣ୍ଡାଗଣ୍ଡା ଆଶାୟି ପ୍ରାର୍ଥୀ । ଏଣୁ ଏମାନେ ଦଳର ହାଇକମାଣ୍ଡଙ୍କ ମନମୋହିବା ପାଇଁ ମାଳମାଳ ଲୋକଙ୍କୁ ନେଇ ପାର୍ଟି ଅଫିସରେ ପହଁଞ୍ଚୁଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପକ୍ଷରୁ ନିକଟରେ ପ୍ରଶାସନିକାରୁ ରାଜନେତା ହୋଇଥିବା ଅପରାଜିତା ଷଢ଼ଙ୍ଗୀ ଲଢ଼ିବେ ବୋଲି ଏକପ୍ରକାର ଠିକ ହୋଇଥିବା ବେଳେ ତାଙ୍କ ବିପକ୍ଷରେ କଂଗ୍ରେସ ଏବଂ ବିଜେଡି ପକ୍ଷରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ବର୍ତ୍ତମାନ ଏହି ଆସନରେ ପ୍ରସନ୍ନ ପାଟ୍ଟଶାଣୀ ସାଂସଦ ଅଛନ୍ତି । ବାବାଙ୍କର ଦବଦବା ଲୋକସଭା ମଣ୍ଡଳୀରେ ଥିବା ବେଳେ ବିଜେଡି ପକ୍ଷରୁ ଏଠାରେ ବିଜୁ ଯୁବ ବାହିନୀ ଦାୟିତ୍ୱରେ ଥିବା ମୁମ୍ବାଇର ପୂର୍ବ କମିଶନର ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ଚଳିତ ନିର୍ବାଚନରେ ପ୍ରଶନ୍ନ ପାଟ୍ଟଶାଣୀଙ୍କୁ ବାଦ ଦିଆଯାଇ ଅରୁପଙ୍କ ପ୍ରାର୍ଥୀ କରାଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ସେପଟେ କଂଗ୍ରେସର ବହୁ ତୁଙ୍ଗ ନେତାଙ୍କ ନାମ ମଧ୍ୟ ନଜରକୁ ଆସୁଛି । କଂଗ୍ରେସ ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଆଗୁଆ ସୂଚନା ଦେଇଛି । ତେବେ ସାଧାରଣରେ ଚର୍ଚ୍ଚା ହେଉଛି କି ଏଠାରେ ଦୁଇ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ କଡା ଲଢ଼େଇ ହେବ । ଗୋଟେ ପଟେ ଅପରାଜିତା ଏବଂ ଅନ୍ୟପଟେ ଅରୂପ । ଏହି ପ୍ରଶାସନିକ ଅଧିକାରୀଙ୍କୁ ଚକମା ଦେଖାଇବା ଭଳି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ । ପୂର୍ବ ନିର୍ବାଚନରେ ଏଠାରେ ଅଭିନେତା ବିଜୟ ମହାନ୍ତି ନିର୍ବାଚନ ଲଢ଼ିଥିଲେ କିନ୍ତୁ ଦଳ ଏତେ ଭଲ ପ୍ରଦର୍ଶନ କରିନଥିଲା । ଏଣୁ ଏଥରକ ଦୁଇ ମହାରଥୀଙ୍କୁ କଡାଟକ୍କର ଦେଲାଭଳି ପ୍ରାର୍ଥୀ ଘୋଷଣା କରିବ ।