ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗାଡି ଚାଳକଙ୍କୁ ଝଟକା । ମହଙ୍ଗା ହେବ ପଲ୍ୟୁସନ ପ୍ରମାଣପତ୍ର । ନୂଆ ମୋଟର ଯାନ ଆଇନ ଆସିବା ପରେ ଲୋକ ମାନେ ଗାଡିର କାଗଜ ପତ୍ରକୁ ଠିକ କରିବାରେ ଲାଗି ପଡିଛନ୍ତି । ଡ୍ରାଇଭିଂ ଲାଇସେନ୍ସ, ଗାଡି କାଗଜ ପତ୍ର, ପଲ୍ୟୁସନ ଆଦି କରିବାକୁ ପଡୁଛି । ତେବେ ଆସନ୍ତା କାଲି ଠାରୁ ଗାଡି ପାଇଁ ଆବଶ୍ୟକ ପଡୁଥିବା ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ମହଙ୍ଗା ହେବ । ସାରା ଦେଶରେ ଏହି ନିୟମ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏନେଇ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନିର୍ଦ୍ଦେଶାନାମା ଅନୁସାରେ ପୂର୍ବ ନିର୍ଧାରିତ ଦର ଉପରେ ଏବେ ଗ୍ରାହକ ମାନଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏହା ସହ ଯେଉଁ ଟେଷ୍ଟିଂ ସେଣ୍ଟର ଜିଏସଟି ପଞ୍ଜୀକୃତ ହୋଇ ନଥିବ, ସେମାନେ ପିୟୁସି ପ୍ରମାଣପତ୍ର ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ବାହନ ଆପରେ ଟେଷ୍ଟିଂ ସେଣ୍ଟର ମାନେ ଜିଏସଟି ପଞ୍ଜୀକରଣ ବାବଦ ସମସ୍ତ ତଥ୍ୟ ଅପଲୋଡ୍ କରିବେ । ଏହି ପ୍ରକ୍ରିୟା ଶେଷ ହେବା ପରେ ସମ୍ପୃକ୍ତ ଆରଟିଓ ମାନେ ସେହି କେନ୍ଦ୍ର ଗୁଡିକୁ ଅନୁମତି ପ୍ରଦାନ କରିବେ । ଆରଟିଓଙ୍କ ଅନୁମତି ପାଇବା ପରେ ସେଣ୍ଟର ଗୁଡିକୁ ଯୋଗ୍ୟ ବିବେଚିତ କରାଯିବ । ଏନେଇ ପୂର୍ବରୁ ବାଣିଜ୍ୟ କର ଓ ଜିଏସଟି ଯୁଗ୍ମ କମିଶନର ପରିବହନ ବିଭାଗକୁ ଚିଠି ଲେଖିଥିଲେ ।