ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ସରିଲା ଅବଧି । ଏଣିକି ପଲିଥିନ ବ୍ୟବହାର କଲେ ଦେବାକୁ ପଡିବ ଫାଇନ । ଦୀର୍ଘ ମାସେ କାଳ ପଲିଥିନ ବନ୍ଦ ଉପରେ ସଚେତନତା ସୃଷ୍ଟି କରିବା ପରେ ଗତକାଲି ଏହାର ସମୟ ସୀମା ସମାପ୍ତ ହୋଇଛି । ତେବେ ଆଜି ଠାରୁ ଯଦି କୌଣସି ବ୍ୟକ୍ତି ପଲିଥିନ ବ୍ୟବହାର କରନ୍ତି ଅବା କୌଣସି ବ୍ୟବସାୟୀ ପଲିଥିନ ବିକ୍ରୟ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ହୋଇଛି ।
ରାଜ୍ୟର ୬ ଟି ସହରରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ତେବେ ଏଥିରେ ଖିଲାପକାରୀଙ୍କ ବିରୋଧରେ ଜୋରିମାନା ସାଙ୍ଗକୁ ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବ୍ୟବସ୍ତା ମଧ୍ୟ ରହିଛି । ସେପଟେ ଯଦି କେହି ପଲିଥିନକୁ ଷ୍ଟକ ରଖିଥାଏ ତେବେ ପରିବେଶ ବିଭାଗ , ନଗର ଉନ୍ନୟନ ବିଭାଗ , ସମ୍ପୃକ୍ତ ପୌର ସଂସ୍ଥା ସିଧାସଳଖ ସେମାନଙ୍କ ଉପରେ ଚଢାଉ କରିବା ନେଇ ନିର୍ଦ୍ଦେଶ ରହିଛି । ସେହିପରି ପଲିଥିନ ଉତ୍ପାଦନକାରୀଙ୍କ ପାଇଁ ୧ ଲକ୍ଷ ଟଙ୍କାର ଜୋରିମାନା ଓ ୭ ବର୍ଷ ଜେଲ ର ଦଣ୍ଡ ମିଳୁଥିବା ବେଳେ ଦୋକାନୀ ମାନେ ପଲିଥିନ ରଖିଥିଲେ ସେମାନଙ୍କ ପାଇଁ ୩ ରୁ ୭ ହଜାର ଫାଇନ ଦେବାକୁ ପଡିବ ବୋଲି ଜଣାପଡିଛି ।
ସେପଟେ ବିଏମସି ମଧ୍ୟ ଭୁବନେଶ୍ୱରରେ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ଅଣ୍ଡା ଭିଡିଛି । ରାସ୍ତାକଡ ଦୋକାନ ମାନଙ୍କ ପାଇଁ ଏହି ନିୟମ ଉଲଙ୍ଘନ କଲେ ୫ ଶହରୁ ହଜାରେ ଓ ୨ ଜହାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ ବୋଲି ଜଣାପଡିଛି । ସେହିପରି ଖାଉଟି ମାନଙ୍କ ପାଇଁ ୨ ଶହ , ୫ଶହ , ଓ ୧ ହଜାର ଟଙ୍କା ଜୋରିମାନାର ବ୍ୟବସ୍ତା ରହିଛି ।
ଅନ୍ୟପଟେ ବଡ ବଡ ହୋଟେଲ , ରେଷ୍ଟୋରାଣ୍ଟ ମାନଙ୍କରେ ଏହି ନିୟମ ଉଲଙ୍ଗନ କଲେ ସେମାନଙ୍କ ପାଇଁ ୧ ହଜାର ରୁ ଆରମ୍ଭ କରି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ ବୋଲି ନିୟମ ହୋଇଛି । ତେବେ ଜଣେ ଖିଲାପକାରୀ ୩ ଥର ଜୋରିମାନା ଦେବା ପରେ ଯଦି ପୁଣି ଧରାପଡିଲେ ତେବେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ମଧ୍ୟ ହେବ ବୋଲି ଜଣାପଡିଛି ।