ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ ସଙ୍କଟ । କତେବେଳେ ବି ଅନ୍ଧାର ଘୋଟି ଯାଇପାରେ । ରାଜ୍ୟରେ ଅଭାବ ୨ହଜାର ମେଗାଓ୍ବାଟ ବିଦ୍ୟୁତ ଶକ୍ତି । ଏନଟିପିସି କଣିହାଁ, ତାଳଚେର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ଏବଂ ଜଳ ବଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ଉତ୍ପାଦନ ଠପ । ଯାହା ପାଇଁ ସଙ୍କଟରେ ବିଦ୍ୟୁତ୍ । ଆଉ ସଙ୍କଟ ଟାଳିବାକୁ ବାହାର ରାଜ୍ୟ ଗ୍ରୀଡ ଉପରେ ନିର୍ଭର କରୁଛନ୍ତି ରାଜ୍ୟସରକାର । ବର୍ତ୍ତମାନ ଆମ ରାଜ୍ୟ ପାଇଁ ୪ ହଜାର ମେଗାଓ୍ବାଟ ବିଦ୍ୟୁତ ଆବଶ୍ୟକ ପଡୁଛି ।
ଆଉ ଆମ ରାଜ୍ୟରେ ବିଦ୍ୟୁତ ଅଭାବ ପାଇଁ ଆମ ରାଜ୍ୟସରକାର ବାହାର ରାଜ୍ୟ ଉପଡରେ ନିର୍ଭର କରୁଛନ୍ତି । ଏଥିପାଇଁ ଆମ ରାଜ୍ୟସରକାର ପ୍ରତିଦିନ ଖର୍ଚ୍ଚ କରୁଛନ୍ତି ୧୬କୋଟି ଟଙ୍କା । ଏହାସହ ବର୍ତ୍ତମାନ ରାଜ୍ୟ ସରକାର ସେଣ୍ଟ୍ରାଲ ଗ୍ରୀଡରୁ ୨୩ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଥିବାବେଳେ ଆଇପିପି ୩୩୯, ଓପିଜିସିରୁ ୬୫୨ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଉପଲବ୍ଧ କରାଉଛନ୍ତି। ପାଓ୍ବାର ଏକ୍ସଚେଞ୍ଜ ଜରିଆରେ ୭ଶହ ମେଗାଓ୍ବାଟ ବିଦ୍ୟୁତ ଶକ୍ତି ଆଣୁଛନ୍ତି ରାଜ୍ୟ ସରକାର । ଏପଟେ ବେଦାନ୍ତ, ଏନଟିପିସି କଣିହାଁ ଏବଂ ତାଳଚେର ପାଓ୍ବାର ପ୍ଲାଣ୍ଟ କୋଇଲା ଆଭାବ ପାଇଁ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବାଧା ଉପୁଜିଛି ।
ବେଦାନ୍ତ ୫ଶହ ମେଗାଓ୍ବାଟ, ଜିଏମଆର ୩୨୦ ମେଗାଓ୍ବାଟ, ଏନଟିପିସି କଣିହାଁରୁ ୩୨୦, ଟିଟିପିଏସରୁ ୪୬୦ ମେଗାୱାଟ ବିଦ୍ୟୁତ ଶକ୍ତି ଆସିବା କଥା । କିନ୍ତୁ ଏଠାରୁ ବିଦ୍ୟୁତ ଶକ୍ତି ଆସିବା ପୁରା ଠପ ହୋଇଯାଇଛି। ସେହିପରି ଜଳବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ୧୪୫୦ ମେଗାଓ୍ବାଟ ଆସିବା ବଦଳରେ ଆସୁଛି ୨ଶହରୁ ୩ଶହ ମେଗାଓ୍ବାଟ। ଇନ୍ଦ୍ରାବତୀ, ବୁର୍ଲା, ଚିପିଲିମା, ରେଙ୍ଗାଲିରେ ବିଦ୍ୟୁତ ଉତ୍ପାଦନ ପୁରା ଠପ ହୋଇଯାଇଛି। ଯଦି ଏହପରି ସମସ୍ୟା ଆଗକୁ ଲାଗି ରହେ ରାଜ୍ୟକୁ ବିଦ୍ୟୁତ ଶକ୍ତି ଯୋଗାଇବା ମୁସ୍କିଲ ହୋଇପଡିବ।