ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୬ ଦିନ ହେଲା ଅନ୍ଧାରରେ ରହିଛି ରାଜଧାନୀ । ଦିନସାରା ଅସହ୍ୟ ଗରମକୁ ରାତିରେ ଅନ୍ଧାର ଏକ ପ୍ରକାର ଅସ୍ତବ୍ୟସ୍ତ କରି ପକେଇଲାଣି ରାଜଧାନୀବାସୀଙ୍କୁ । କେବେ ବିଜୁଳି ଆସିବ ତାହା ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ ହୋଇଯାଇଛି । ତେବେ ସୁତ୍ରର ସୂଚନା ଅନୁସାରେ ଆସନ୍ତା ୧୨ ତାରିଖ ସୁଦ୍ଧା ପ୍ରାୟ ଭୁବନେଶ୍ୱରର ସବୁ ଅଞ୍ଚଳରେ ବିଦ୍ୟୁତ ଜଳିବ ବୋଲି ଜଣାପଡିଛି ।
ଗତ ୩ ଦିନ ମଧ୍ୟରେ ଭୁବନେଶ୍ୱରର ତେତେକ ପ୍ରମୁଖ ଅଞ୍ଚଳକୁ ବିଦ୍ୟୁତ ଚାର୍ଜ ଦିଆଯାଇଛି । ପାଖାପାଖି ୭୦୦୦ରୁ ଅଧିକ ଉପଭୋକ୍ତାଙ୍କୁ ବିଦ୍ୟୁତ ଦିଆଯାଇଛି । ସେହିଭଳି ବାତ୍ୟାପରେ ବିଦ୍ୟୁତ ବିଭାଗ ମଧ୍ୟ ଦିନରାତି ଏକ କରି କାମକୁ ତ୍ୱରାନିତ କରୁଛି । ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ଖରା ତାତିକୁ ଖାତିର ନ କରି ଖୁଣ୍ଟରେ ଛଡି କାମ କରୁଥିବା ଦେଖିବାକୁ ମିଳିଛି ।
କାମକୁ ଆହୁରି ତ୍ୱରାନିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ଇଲେକ୍ଟ୍ରିକ କଣ୍ଟ୍ରାକ୍ଟରଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି ସେମାନେ ତାଙ୍କ ପାଖରେ ଥିବା କର୍ମଚାରୀଙ୍କୁ ନେଇ ଆସନ୍ତା ୧୦ ତାରିଖ ମଧ୍ୟରେ ରିପୋର୍ଟ କରିବାକୁ ନିର୍ଦେଶ ଦିଆଯାଇଛି । ଆସନ୍ତା ୧୦ ତାରିଖ ମଧ୍ୟରେ ପାଖାପାଖି ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଭୁବନେଶ୍ୱରରେ ସାଢେ ୪ ଲକ୍ଷରୁ ଅଧିକ ଉପଭୋକ୍ତା ରହିଛନ୍ତି ।