ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ କରୋନା ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ସେ କହିଛନ୍ତି , କରୋନାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଭୁବନେଶ୍ୱର ଏକ ହଟସ୍ପଟ ଅଞ୍ଚଳ । ସେଥିପାଇଁ ଭୁବନେଶ୍ୱରରେ ଟେଷ୍ଟିଂ ବଢାଇବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ କ୍ୟାମ୍ପ କରିବା ଲାଗି ଯୋଜନା ମଧ୍ୟ ଚାଲିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୭୫୭୭ ନମୁନା ଟେଷ୍ଟ ହୋଇ ସାରିଲାଣି ।
କରୋନା ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୭ ଦିନ ମଧ୍ୟରେ ୫ ହଜାର ଟେଷ୍ଟ ଭୁବନେଶ୍ୱରରେ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ନମୁନା ସଂଗ୍ରହ ପାଇଁ ଭ୍ରାମ୍ୟମାଣ ମୋବାଇଲ ଭ୍ୟାନ୍ ମଧ୍ୟ ଭୁବନେଶ୍ୱରରେ ବୁଲିବ । ପ୍ରତ୍ୟେକ ଗଳି କନ୍ଦିରେ ଟେଷ୍ଟ ପାଇଁ ଏହି ଭ୍ୟାନ୍ ବୁଲିବ । ସ୍ୱାସ୍ଥ୍ୟକର୍ମୀ ମାନଙ୍କର ମଧ୍ୟ ଟେଷ୍ଟିଂ ପାଇଁ ଗୁରୁତ୍ୱ ଦିଆଯାଇଛି । ଏହାସହିତ ବୟସ୍କ ବ୍ୟକ୍ତିଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଯାହାର ଲକ୍ଷଣ ପରିଲିକ୍ଷିତ ହେଉଛି ସମସ୍ତେ ଟେଷ୍ଟ ପାଇଁ ଆଗେଇ ଆସି ସରକାରଙ୍କୁ ସହଯୋଗ କରନ୍ତୁ ।
ସାରା ରାଜ୍ୟ ମଧ୍ୟରୁ ୩୮ ପ୍ରତିଶତ ଭୁବନେଶ୍ୱରରେ କରୋନା ପଜିଟିଭ ଚିହ୍ନଟ ହୋଇଛି । ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର କୋଭିଡ ରଣନୀତି ପ୍ରସ୍ତୁତ ହୋଇଛି । ଯେଉଁ ବ୍ୟକ୍ତି ବାହାରୁ ଆସିଛନ୍ତି ସେମାନଙ୍କ ନମୁନା ସଂଗ୍ରହ କରାଯାଇ ଯାହାଙ୍କର ଲକ୍ଷଣ ପରିଲିକ୍ଷିତ ହେଉଛି ତାଙ୍କର ପରୀକ୍ଷା କରାଯିବ । ଏହାସହିତ ପୋଲିସ କର୍ମୀ , ପରିମଳ ବ୍ୟବସ୍ଥା କର୍ମୀଙ୍କର ବି ନମୁନା ଟେଷ୍ଟ କରାଯିବ । ଯେତେ ଶୀଘ୍ର ଭୁବନେଶ୍ୱର ସ୍ୱଭାବିକ ହେବ ସେତେ ଭଲ ।
ଅନ୍ୟପଟେ ଆସନ୍ତା ଏପ୍ରିଲ ୨୦ ତାରିଖରୁ କମ ବିପଦ ଥିବା ଅଞ୍ଚଳରେ ଲକ୍ ଡାଉନ୍ କଟକଣା କୁ କୋହଳ କରାଯିବ । ଏହାସହି ଅର୍ଥନୀତିର ଇଞ୍ିନ ଚାଲୁ ରହୁ ଏବଂ ଲୋକେ ରୋଜଗାର କରନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ଏହାସହିିତ ଗ୍ରାମାଞ୍ଚଳରେ ଆର୍ଥିକ ଅବସ୍ଥା ସ୍ୱାଭାବିକ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି ।