କେନ୍ଦୁଝର( ଏଟିଆର ବ୍ୟୁରୋ): କେନ୍ଦୁଝର ଜିଲ୍ଲା କାରାଗାରରେ ଜଣେ ବନ୍ଧୁର ଫାଶୀ ଦଣ୍ଡ ଶୁଣି ଆଉ ଜଣେ ବନ୍ଦୀ ଥିବା କଏଦୀ ବନ୍ଧୁର ହୃଦଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗତକାଲି ଗୋଟିଏ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଯେଉଁଥିରେ ଜେଲରେ ବନ୍ଦୀ ଜୀବନ ବିତାଉଥିବା ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତଙ୍କ ନାମ ସୁନୀଲ ନାଏକ ।
ସେ ୨୦୧୭ ମସିହାରେ ଚମ୍ପୁଆରେ ଜଣେ ୩ ବର୍ଷର ଝିଅକୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ସେ ଗିରଫ ହୋଇ ଜେଲରେ ଥିଲେ । ଗତକାଲି ଏହି ମାମଲାର ଶୁଣାଣୀ କେନ୍ଦୁଝର ଏଡିଜେ କୋର୍ଟରେ ହୋଇଥିଲା । କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ କରିଥିଲେ । ତେବେ ସୁନୀଲଙ୍କ ଫାଶୀ ଦଣ୍ଡକୁ ଶୁଣି ତାଙ୍କ ସହ ବନ୍ଦୀ ଜୀବନ ବିତାଉଥିବା ବନ୍ଧୁ ତୁରୀ ମୁଣ୍ଡା ଡରିଯାଇଥିଲେ । ଅଧିକ ଭୟରେ ହୃଦ ସ୍ପନ୍ଦନ ବଢିବାରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା ।