ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତାକାଲିଠୁ ଗଡିବ ଘରୋଇ ବସ୍ । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବସ୍ ମାଲିକ ସଂଘ ସାଧାରଣ ପରିଷଦ ମିଟିଙ୍ଗରେ ଏହି ନିଷ୍ପତି ନିଆଯାଇଛି । ଆଜି ବସ୍ ମାଲିକ ସଂଘର ଏକ ବୈଠକ ବସିଥିଲା । ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା କାଲିଠୁ ରାଜ୍ୟରେ ବସ୍ ଚଳାଚଳ ହେବ ।
ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ମୁତାବକ, ଆସନ୍ତାକଲିଠୁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ କିଛି ପରିମାଣର ବସ୍ ଚଳାଚଳ କରିବ । ଏହାପରେ ଧୀରେ ଧୀରେ ଅନ୍ୟ ବସ୍ ଗୁଡିକ ଚଳାଚଳ କରିବ । ଯାତ୍ରୀଙ୍କଠାରୁ ପୂର୍ବ ନିର୍ଦ୍ଧାରିତ ଭଡା ନିଆଯିବ । ଏହାସହିତ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ । ଯାତ୍ରୀମାନଙ୍କ ପାଇଁ ବସ୍ ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । । ବସ୍ ଗଡିବା ପୂର୍ବରୁ ପ୍ରଥମେ ସାନିଟାଇଜ୍ କରାଯିବ ତାପରେ ଯାଇ ବସ୍ ରେ ଯାତ୍ରା କରିବେ ଯାତ୍ରୀ ।