ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀର ମୁକାବିଲା କରିବା ପାଇଁ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେବ ସମସ୍ତ ଯାତାୟତ ବ୍ୟବସ୍ଥା ଉପରେ ରୋଗ ଲଗାଯାଇଛି । ୪ର୍ଥ ପର୍ଯ୍ୟାୟରେ ଲକ୍ ଡାଉନ୍ ଆରମ୍ଭ ହେବା ପରେ ରାଜ୍ୟରେ କେବଳ ଦୁଇ ଚକିଆ ଓ ଚାରି ଚକିଆ ଯାନ ଉପରୁ କଟକଣା ମୁକ୍ତ କରାଯାଇଛି । ତେବେ ବହୁ ଦିନରୁ ରାଜ୍ୟରେ ବସ ଚଳାଚଳ ଉପରେ କଟକଣା ଜାରି ରହିଛି । ଫଳରେ ହଜାର ହଜାର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନେ ହାତବାନ୍ଧି ବସି ହୋଇ ରହିଛନ୍ତି । ଏହାକୁ ନେଇ ଗତକାଲି କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ ପାଲାମଣ୍ଡପ ଠାରେ ବିକ୍ଷେଭ ପ୍ରଦର୍ଶନ କରାଯାଇଥିଲା । ସେମାନଙ୍କରୀ ଦାବି ଥିଲା ଯେ, ଲକ୍ ଡାଉନ୍ ରେ ପ୍ରଭାବିତ ହୋଇଥିବା ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ ।
ତେବେ ଏହାକୁ ନେଇ ଖୁବଶୀଘ୍ର ରାଜ୍ୟ ଭିତରେ ଘରୋଇ ବସ୍ ଚଳାଇବା ନେଇ ନିଷ୍ପତ୍ତି ନେବେ ସରକାର । ଘରୋଇ ବସ୍ ମାଲିକମାନେ ଯେଉଁ ଦାବି କରୁଥିଲେ ସେମାନଙ୍କୁ ପ୍ରଶାସନିକ ସହାୟତା ଯୋଗାଇଦେବା ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବସ୍ ମାଲିକ ସଂଘକୁ ଡାକି ସେମାନଙ୍କ ସହ ଆଲୋଚନା କରାଯିବ । ଜୁନ୍ ୧ ରୁ ରେଳ ଚଳାଚଳ ଆରମ୍ଭ ହେଉଥିବାରୁ ଲୋକଙ୍କ ସୁବିଧା ପାଇଁ ରାଜ୍ୟରେ ବସ୍ ଚାଲିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।