ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା କଟକଣା ପାଇଁ ଅକଳରେ । ଭାରତ ମଧ୍ୟ ତାଲା ବନ୍ଦରେ ବେହାଲ । ମାସେ ହେଲାଣି ଅଖଚକ ସବୁ ବନ୍ଦ । ସମସ୍ତଙ୍କ ମୁଣ୍ଡରେ ସେଇ ଅର୍ଥ ଅଭାବବର ବୋଝ । ମାତ୍ର ଏହି ଭିତରେ ଏବେ ପୁଣି ବୋଝ ଉପରେ ନଳିତା ବିଡା ଲଦା ହୋଇଛି ଘରୋଇ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ମୁଣ୍ଡରେ । ସ୍କୁଲରେ ପାଠ ପଢାନାହିଁ ହେଲେ ପିଲାଙ୍କ ସ୍କୁଲ ଫି ଦୋବକୁ ଏବେ ଦାବି କରୁଛନ୍ତି ବିଭିନ୍ନ ଘରୋଇ ସ୍କୁଲ । ଏମିତିକି ଫୋନ କରି ଆସନ୍ତା ଅପ୍ରେଲ ୩୦ ତାରିଖ ମଧ୍ୟରେ ଫି ଦାଖଲ କରିବାକୁ କହୁଛନ୍ତି । ସବୁଠାରୁ ବଡ କଥା ହେଉଛି ଅଭିଭାବକ ମାନେ ଏବେ କୋଉ କୂଳର ହେବେ ତାକୁ ନେଇ ଦ୍ୱନ୍ଦରେ । ଗୋଟେ ପଟେ ସରକାର ନିବେଦନ କରିଛନ୍ତି ଫି କୋହଳ କିମ୍ବା ଘୁଞ୍ଚାଇବାକୁ । ଏନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟ କରି ସୂଚନା ଦେଇଥିଲେ । ହେଲେ ଏହାକୁ ମାନିବାକୁ ନାରାଜ ଘରୋଇ ସ୍କୁଲ ।
ଯାହାକୁ ନେଇ ଆଡଭୋକେଟ ମହମ୍ମଦ ସୁସତାକଙ୍କ ଦ୍ୱାରା ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ତାଲାବନ୍ଦ ଯୋଗୁ ସମସ୍ତଙ୍କ ଆର୍ଥିକ ସ୍ଥିତି ଭୁଷୁଡି ପଡିଛି । ରୋଜଗାର ଏକ ପ୍ରକାର ଠପ ହୋଇଯାଇଛି । ଫଳରେ ଅଭିଭାବକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୦ ରୁ ଜୁନ ୨୦ କ୍ଲାସ ଆରମ୍ଭ ହେବା ପର୍ଯ୍ୟନ୍ତ ସମସ୍ତ ଫି କୋହଳ କରିବାକୁ ।ଆହୁରି ମଧ୍ୟ ଅପିଲ କରାଯାଇଛି ୨୦୨୦ ଓ ୨୧ ଶିକ୍ଷା ବର୍ଷରେ କୌଣସି ଶୁଳ୍କ ବୃଦ୍ଧି ନ କରାଯାଉ ।
ଅନ୍ୟପଟେ ଏଇ ସମାନ ପ୍ରସଙ୍ଗକୁ ନେଇ ଯଦି ଆମେ ଅନ୍ୟ ରାଜ୍ୟ ଗୁଡିକ କଥା ଦେଖିବା ଦିଲ୍ଲୀରେ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କହିଥିଲେ କେବଳ ଗୋଟିଏ ମାସର ଟ୍ୟୁସନ ଫି ନିଆଯିବ ମାତ୍ର କୌଣସି ଅତିରିକ୍ତ ଶୁଳ୍କ ନେଇପାରିବେ ନାହିଁ ଘରୋଇ ସ୍କୁଲ । ସେହିଭଳି ହରିୟାଣା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ପ୍ରାଇଭେଟ ସ୍କୁଲ କେବଳ ଟ୍ୟୁସନ ଫି ନେଇପାରିବେ ।
ତେବେ ଏହି ମାମଲାରେ ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ଏକ ଶୁଣାଣୀ କରିଥିଲେ । ମହମ୍ମଦ ମୁସ୍ତାକଙ୍କ ଦ୍ୱାରା ଦାୟର ହୋଇଥିବା ଅପିଲର ଶୁଣାଣୀ କରି କୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ଉତ୍ତର ରଖିବାକୁ କୁହାଯାଇଛି । ଏନେଇ ଆସନ୍ତା ମେ ୧ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ବିଚାରପତି ବିଆର ସାରଙ୍ଗୀ ଏବଂ ନ୍ୟାୟମୂର୍ତ୍ତୀ ଏସକେ ପାଣିଗ୍ରାହୀଙ୍କ ମିଳିତ ଖଣ୍ଡପୀଠ ଏହି ଶୁଣାଣୀ କରି କହିଛନ୍ତି । ଏବେ ଆସନ୍ତା ୧ ତାରିଖ ଉପରେ ସମସ୍ତ ଘରୋଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ନଜର ରହିଛି । ଅଭିଭାବକ ମାନେ ଆଶା ରଖିଛନ୍ତି ଏହି ମହମାରୀ ସମୟରେ ଜନହିତ ପାଇଁ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ।