ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଓଡିଶା ଗସ୍ତରେ ଆସିବେ କଂଗ୍ରେସର ନବ ନିଯୁକ୍ତ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ଫେବୃଆରୀରେ କୋରାପୁଟରେ କରାଯିବ ସାଧାରଣ ସଭା । ଦଳୀୟ କର୍ମୀଙ୍କୁ ଉଦବୋଧନ ଦେବେ ପ୍ରିୟଙ୍କା । ତେବେ କେତେ ତାରିଖରେ ଆସିବେ ଏବଂ କେଉଁଠି ସଭା ଆୟୋଜନ ହେବ ତାହା ସ୍ପଷ୍ଠ ହୋଇନାହିଁ । କିନ୍ତୁ ଫେବୃଆରୀ ନିଶ୍ଚୟ ଓଡିଶା ଆସିବେ ପ୍ରିୟଙ୍କା । ଏନେଇ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଜୟପୁର ବିଧାୟକ ତଥା ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତାରା ବାହିନୀ ପତି । ଓଡିଶା ଆସି କୋରାପୁଟରେ ସାଧାରଣ ସଭା କରିବା ପାଇଁ ପ୍ରିୟଙ୍କାଙ୍କୁ ଅନୁରୋଧ କରାଯାଇଥିଲା । ଏହାକୁ ସେ ଗ୍ରହଣ କରିଛନ୍ତି । ଏବଂ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ଗ୍ରୀନ ସିଗନାଲ ଦେଇଛନ୍ତି ।
ପ୍ରିୟଙ୍କା ଓଡିଶା ଆସିବା ଖବର ଶୁଣିବା ପରେ ଦଳୀୟ କର୍ମୀଙ୍କ ମଧ୍ୟ ଉତ୍ସାହ ବଢ଼ି ଯାଇଛି । ନିକଟରେ ଭୁବନେଶ୍ୱର ତମାଣ୍ଡେ ପଡିଆରେ ରାହୁଲ ଯୋଗ ଦେଇ ମୋଦୀ ଏବଂ ନବୀନଙ୍କ ଉପରେ ବର୍ଷିଥିଲେ । ଏବଂ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଏବେ ପ୍ରିୟଙ୍କା ଓଡିଶା ଆସୁଥିବାରୁ ବେଶ ଖୁସି ଅଛନ୍ତି ଦଳୀୟ କର୍ମୀ । ପ୍ରିୟଙ୍କାଙ୍କ ମାଷ୍ଟର ମାଇଣ୍ଡକୁ ନେଇ ୨୦୧୯ ସାଧାରଣ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚାହୁଁଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରହୁଲ ଗାନ୍ଧୀ । କାରଣ ପ୍ରିୟଙ୍କା ରାଜନୀତିରେ ଲୋକଙ୍କ ବହୁତ ସମର୍ଥନ ରହିଛି । ଏଣୁ ଦୀର୍ଘ ଦିନ ପରେ ରାଜନୀତି ମଇଦାନକୁ ଆଣିଛନ୍ତି ଭାଇ ରାହୁଲ । ପ୍ରିୟଙ୍କା ପିଲା ବେଳେ ବାପା ରାଜୀବ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାର କରି ବେଶ ଚର୍ଚ୍ଚାରେ ରହିଥିଲେ । ସେପଟେ ଭାଇଙ୍କ ପାଇଁ ମଧ୍ୟ ୨୦୧୪ରେ ମଧ୍ୟ ନିର୍ବାଚନ ପ୍ରଚାର କରିଥିଲେ ।
ପ୍ରିୟଙ୍କା ଗାନ୍ଧୀଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀମାନେ ବହୁତ ଖୁସି ଅଛନ୍ତି । ପ୍ରିୟଙ୍କାଙ୍କ ଓଡିଶା ଗସ୍ତ ୨୦୧୯ ସାଧାରଣ ନିର୍ବାଚନରେ ପ୍ରଭାବ ପଡିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ବିରୋଧୀ ବିଜେଡି ଏବଂ ବିଜେପି । ବାରମ୍ବାର ଯେତେ କେନ୍ଦ୍ରୀୟ ନେତା ଓଡିଶା ଗସ୍ତରେ ଆସିଲେ ମଧ୍ୟ ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେଡି ସୁପ୍ରିମେ ସୂଚନା ଦେଇଛନ୍ତି । ଓଡିଶାର ଲୋକଙ୍କ ମନରେ ବିଜେଡି ଥିଲା ଏବଂ ରହିଥିବା ବୋଲି ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ।
ସେପଟେ ନିର୍ବାଚନ ପାଖେଇ ଆସୁଥିବାରୁ ଗଣ୍ଡା ଗଣ୍ଡା କେନ୍ଦ୍ରୀୟ ନେତା ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଓଡିଶା ଉପରେ ରହିଛି ସମସ୍ତଙ୍କ ନଜର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଥର ଓଡିଶା ଗସ୍ତରେ ଆସିଥିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ବହୁ ବାର ଓଡିଶା ଆସି ସାରିଛନ୍ତି । ତେବେ ଏଥିରୁ ବାଦ ପଡିନି କଂଗ୍ରେସ ରାହୁଲ ମଧ୍ୟ ଓଡିଶା ଗସ୍ତରେ ଆସିଥିଲେ । ଏବଂ ନିର୍ବାଚନ ପର୍ଯ୍ୟନ୍ତ ମାସକୁ ଥରେ ଲେଖାଏଁ ଆସିବେ ବୋଲି ସୂଚନା ଦେଇଛନ୍ତି । ବାରମ୍ବାର କେନ୍ଦ୍ରୀୟ ନେତାଭ୍କ ଗସ୍ତ ପାଇଁ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି ।