ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ବିଜେଡିର ୪ ପ୍ରାର୍ଥୀ । ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପାର୍ଥୀ କରିଛି । ନାମାଙ୍କନ ପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀମାନେ ବିଧାନସଭାର ନୂଆ କନଭେସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ନେତା ଓ ମନ୍ତ୍ରୀମାନେ ଉପସ୍ଥିତ ରହିଛନ୍ତି । ଆସନ୍ତା ୨୬ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ ଓ ସଂନ୍ଧ୍ୟାରେ ହିଁ ଫଳ ପ୍ରକାଶ ପାଇବ । ରାଜ୍ୟସଭାରେ ୧୭ଟି ରାଜ୍ୟର ୫୫ଟି ଆସନ ଖାଲି ପଡିଥିବା ବେଳେ ଓଡିଶାର ୪ଟି ଆସନ ରହିଛି ।ତେବେ ରାଜ୍ୟ ସଭା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବା ପରେ ୪ ଜଣ ପ୍ରାର୍ଥୀଙ୍କ ସମ୍ପତି ତାଲିକା ଜଣାପଡିଛି ।
ତେବେ ଆସନ୍ତୁ ଜାଣିବା କାହା ପାଖରେ କେତେ ସମ୍ପତି ରହିଛି ।
୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ପ୍ରାର୍ଥୀ ହେଉଛନ୍ତି ସୁଜିତ କୁମାର । ସୁଜିତଙ୍କ ପାଖରେ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ଟଙ୍କାର ସମ୍ପତି ରହିଛି । ସୁଜିତଙ୍କ ସ୍ତ୍ରୀଙ୍କ ପାଖରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତି ଥିବା ବେଳେ ଧଉଳି ନିକଟରେ ତାଙ୍କ ନାଁରେ ଏକ ଜମି ରହିଛି । ସୁଜିତଙ୍କ ନିକଟରେ ୨୫୦ ଗ୍ରାମର ସୁନା ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନିକଟରେ ୫୨୦ ଗ୍ରାମର ସୁନା ରହିଛି ।
ସେହିଭଳି ମୁନା ଖାଁଙ୍କ ନିକଟରେ ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କାର ସମ୍ପତି ରହିଛି । ଏହା ସହ ତାଙ୍କ ନାଁରେ ୧ କୋଟି ୬୦ ହଜର ୩୯୦ ଟଙ୍କାର ଅସ୍ଥାବର ସମ୍ପତି ରହିଛି । ମୁନା ଖାଁଙ୍କ ନିକଟରେ ୫୦୦ ଗ୍ରାମର ସୁନା ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନିକଟରେ ୮୦୦ ଗ୍ରାମର ସୁନା ରହିଛି ।
ସେହିପରି ମମତା ମହନ୍ତଙ୍କ ନିକଟରେ ୨୫ ଲକ୍ଷ ୩ ହଜାର ୯୪୪ଟଙ୍କାର ସମ୍ପତି ରହିଛି । ମମତାଙ୍କ ନିକଟରେ ୬ ଲକ୍ଷ ୬୧ ହଜାର ୫୦୦ ଟଙ୍କା ମୂଲ୍ୟର ଏକ ଜମି ରହିଛି । ମମତାଙ୍କ ନିକଟରେ ୧୫୦ ଗ୍ରାମର ସୁନା ଓ ୩ଶହ ଗ୍ରାମର ରୂପା ରହିଥିବା ବେଳେ ତାଙ୍କ ସ୍ୱାମୀଙ୍କ ନିକଟରେ ୧୦୦ ଗ୍ରାମର ସୁନା ରହିଛି ।
ସେହିଭଳି ସୁବାସ ସିଂହଙ୍କ ନିକଟରେ ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କାର ସମ୍ପତି ରହିଛି । ସୁବାସଙ୍କର ୭ ଲକ୍ଷ ୨୫ ହଜାର ଟଙ୍କାର ଏକ ଘର ରହିଛି । ସୁବାସଙ୍କ ନିକଟରେ ୧୫୦ ଗ୍ରାମର ସୁନା ଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନିକଟରେ ୨୯୦ ଗ୍ରାମର ସୁନା ରହିଛି । ସେହିଭଳି ସୁବାସଙ୍କ ନାଁରେ ୧୧ଟି ଅପରାଧୀକ ମାମଲା ରହିଛି । ଏହି ସମସ୍ତ ତଥ୍ୟ ପ୍ରାର୍ଥୀ ପତ୍ର ଦାଖଲ ବେଳେ ଦର୍ଶାଇଛନ୍ତି ପ୍ରାର୍ଥୀ ମାନେ ।