ପୁରୀ(ଏଟିଆର ବ୍ୟୁରୋ): ଅଦିନିଆ ରଥଯାତ୍ରାରୁ ଓହରିଲା ନାରଦୀୟ ନିକୁଞ୍ଜ ଟ୍ରଷ୍ଟ । ଆସନ୍ତା ୨୯ ତାରିଖରେ ଉତ୍ତରପ୍ରଦେଶର ଗାଜିଆବାଦରେ ହେବାକୁ ଥିବା ରଥଯାତ୍ରାରୁ ଓହରିଛି ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ । ଡିସେମ୍ବର ୨୯ ତାରିଖରେ ରାଧାକୃଷ୍ଣ ସତସଙ୍ଗ ଆୟୋଜନ କରିବା ଲାଗି ଟ୍ରଷ୍ଟ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ସୂଚନା ଅନୁସାରେ ଉକ୍ତ ଦିନ ରଥଯାତ୍ରା କରିବା ପାଇଁ ସ୍ଥିର କରାଯାଇଥିଲା । ଏଥି ପାଇଁ ବହୁ ଜୋରେ ସୋଶାଲ ମିଡିଆରେ ପ୍ରଚାର ପ୍ରସାର କରାଯାଉଥିଲା ।
ଯାହାକୁ ନେଇ ମହାପ୍ରଭୁ ଜଗନ୍ନନାଥଙ୍କ ଭକ୍ତ ମାନେ ବିରୋଧ କରିଥିଲେ । ଯାହା ପରେ ଆୟୋଜକ ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟ ଅଦିନିଆ ରଥଯାତ୍ରାରୁ ଓହରିଯାଇଛି । ଏହା ସହ ଏଭଳି ବିଜ୍ଞାପନ ଲାଗି ଟ୍ରଷ୍ଟ କ୍ଷମା ପ୍ରାର୍ଥନା କରୁଛି ବୋଲି ସୂଚନା ମିଳିଛି । ଖାଳି ସେତିକି ନୁହେଁ ଏହା ସହ ଟ୍ରଷ୍ଟ ଓଡିଶା ବାସୀଙ୍କୁ ମଧ୍ୟ କ୍ଷମା ପ୍ରାର୍ଥନା କରିଛି । ଆସନ୍ତା ୨୯ ତାରିଖ ଦିନ ରଥଯାତ୍ରା ନୁହେଁ ରାଧାକୃଷ୍ଣଙ୍କର ସତସଙ୍ଗ ହେବ ବୋଲି ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସଂପାଦନ ବାବା ଚୈତନ୍ୟ ସୂଚନା ଦେଇଛନ୍ତି । ଅନ୍ୟପଟେ ଟ୍ରଷ୍ଟର ସଭାପତି ଓ ସଂପାଦକ ଜଗନ୍ନାଥ ସେନା ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କୁ ଫୋନ କରି ରଥଯାତ୍ରା କରାଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ।