ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟର ଦୁଇଟି ପ୍ରମୁଖ ସହର ତଥା ପୁରୀ ଏବଂ ଭୁବନେଶ୍ୱର ହେବ ଭିକାରୀ ମୁକ୍ତ । ଏନେଇ ସରକାରଙ୍କ ପକ୍ଷରୁ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏହି ଦୁଇଟି ସହରରେ ଭିକାବୃତ୍ତି କରୁଥିବା ଭିକାରୀଙ୍କୁ ସମ୍ପୂର୍ଣ୍ଣ ହଟାଇବା ସହ ସେମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି ।
ପର୍ଯ୍ୟଟନ କ୍ଷେତ୍ର ପୁରୀ ବଡ ଦାଣ୍ଡରେ ମାଳ ମାଳ ଭିକାରୀ ହାଉଯାଉ ହେଉଥିବାର ସବୁବେଳେ ଦେଖିବାକୁ ମିଳେ, ମାତ୍ର ଏବେ ଆଉ ବଡଦାଣ୍ଡରେ ଭିକାରୀଙ୍କୁ ଦେଖିବାକୁ ମିଳିବ ନାହିଁ । ଏନେଇ ଜିଲ୍ଲାପାଳ ଏବଂ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ସ୍ମାର୍ଟ ସିଟି କୁହାଯାଉଥିବା ଭୁବନେଶ୍ୱରର ଭିଭିଆଇପି ଅଞ୍ଚଳମାନଙ୍କରେ ଯେପରିକି ଏୟାରପୋର୍ଟ, ସଚିବାଳୟ ଏବଂ ଏଜି ଛକ ଆଦି ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଭିକାରୀମାନେ ଆଉ ଭିକ ମାଗି ପାରିବେ ନାହିଁ ବୋଲି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।