ପୁରୀ (ଏଟିଆର ବ୍ୟୁରୋ):ଆଜି ପୁରୀ ସହର ସମ୍ପୂର୍ଣ୍ଣ ବନ୍ଦ । ସବୁଦିନଆ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରାଯାଇଛି । ଆଠ ଦଫା ଦାବିକୁ ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।
ବନ୍ଦ ପ୍ରଭାବରେ ସମସ୍ତ ଦୋକାନ ବଜାର ସହ ସ୍କୁଲ ଓ କଲେଜ ବନ୍ଦ ରହିଛି । ଏହାସହିତ ଯାନବାହାନ ଚଳାଚଳ ଠପ୍ ହୋଇ ଯାଇଛି । ଅନ୍ୟପଟରେ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଘରୁ ଉଠାଇ ନେଇଛି ପୋଲିସ । ଏହି ବନ୍ଦ ଡାକରାରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି ।
ସୁପ୍ରିମକୋର୍ଟର ନିଷ୍ପତି ଅନୁଯାୟୀ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ସୋମବାର ଦିନ ଶ୍ରୀମନ୍ଦିରରେ ଧାଡି ଦର୍ଶନ ନିୟମ ଆରମ୍ଭ ହୋଇଥିଲା । ମାତ୍ର ପ୍ରଥମ ଦିନରୁ ନିୟମ ମାନିନଥିଲେ ଭକ୍ତ ଓ ଶ୍ରୀ ଜଗନ୍ନାଥ ସେନା କର୍ମୀ । ବ୍ୟାରିକେଡ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଭକ୍ତ ।
ଏହାକୁ ବିରୋଧ କରିବା ସହ ପୁରୀ ସହରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ମଧ୍ୟ ଧାଡି ଦର୍ଶନ ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି । ମନ୍ଦିରର ଅନ୍ୟ ତିନି ଦ୍ୱାର ବନ୍ଦକୁ ନେଇ ବିରୋଧ କରିଛନ୍ତି ସେବାୟତ ।
ଏହାସହିତ ସାମ୍ବାଦିକଙ୍କୁ ମାଡ, ବ୍ରହ୍ମ ବିଭ୍ରାଟ ରିପୋର୍ଟ, ଭକ୍ତ-ସେବକ ମାରଣ ନିତୀ, ସିଦ୍ଧ ମହାବୀର ରେଳ ଫାଟକରେ ଓଭର ବ୍ରିଜ୍, ପୋଲିସଙ୍କ ଗୁଣ୍ଡାରାଜ, ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ସ୍ୱର୍ଗଦ୍ୱାର ମୁକ୍ତି ଆଦି ଦାବିରେ ଶ୍ରୀଜଗନ୍ନାଥ ସେନା କର୍ମୀମାନେ କଡାକଡି ଭାବେ ବନ୍ଦ ପାଳନ କରିଛନ୍ତି ।