ପୁରୀ (ଏଟିଆର ବ୍ୟୁରୋ); ‘ଫୋନି’ ଫଣାରେ ଘାଇଲା ହୋଇଥିବା ପୁରୀ ପୁଣିଥରେ ଅଣ୍ଟା ଭିଡିବା ଆରମ୍ଭ କରିଦେଇଛି । ଧିରେ ଧିରେ ସହରର ଅବସ୍ଥା ସ୍ୱଛଳ ହେବାରେ ଲାଗିଛି । ଯଦିଓ ଏବେ ସୁଦ୍ଧା ବିଜୁଳି ଆସିନି ତେବେ ପୂର୍ବାପେକ୍ଷା ଟିକେ ସୁଧୁରିଛି ସହର । ସରକାରଙ୍କ ପକ୍ଷରୁ ଏଠାରେ ବହୁ କର୍ମଚାରୀ ନିୟୋଜିତ ହୋଇ କାମ କରୁଛନ୍ତି । ଜନଶୂନ୍ୟ ହୋଇଥିବା ବଡଦାଣ୍ଡ ପୁଣିଥରେ ଲୋକଙ୍କ ଭିଡ ଲାଗିବା ଆରମ୍ଭ କରିଛି । ଦୂର ଦୂରାନ୍ତରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଧାଇଁ ଆସିଥିବା ଦେଖିବାକୁ ମିଳିଛି ।
ଭକ୍ତମାନେ ଠାକୁରଙ୍କ ଦର୍ଶନ କରିବା ସହିତ ଅବଢ଼ା ଖାଇ ନିଜକୁ ଧନ୍ୟମନେ କରୁଛନ୍ତି । ବାତ୍ୟା ପରେ ଡରି ସମୁଦ୍ରକୂଳକୁ ଯାଉନଥିବା ଲୋକମାନେ ପୁଣିଥରେ ଲହରୀ ଦେଖିବା ପାଇଁ ଭିଡ ଲଗାଇଲେଣି । ଆସନ୍ତା ୧୫ ତାରିଖ ସୁଦ୍ଧା ପୁରୀରେ ଶତପ୍ରତିଶତ ବିଜୁଳି ଆସିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ପ୍ରଥମେ ଯଦିଓ ପାଣିର ଅସୁବିଧା ହୋଇଥିଲା କିନ୍ତୁ ଏବେ ଧିରେ ଧିରେ ଏହା ଦୂର ହେବାରେ ଲାଗିଛି ।
ଗତ ୩ ତାରିଖରେ ଆସିଥିବା ପ୍ରଳୟଙ୍କାରୀ ବାତ୍ୟାର ପ୍ରଭାବ ରାଜ୍ୟର ୧୪ଟି ଜିଲ୍ଲାରେ ପଡିଥିଲା । ତେବେ ସବୁଠାରୁ ଅଧିକ ପୁରୀରେ କ୍ଷତି ହୋଇଛି । ଏଠାରେ ବହୁ ଲୋକଙ୍କ ଜୀବନ ଯିବା ସହିତ କୋଟି କୋଟି ଟଙ୍କାର ଧନ ମଧ୍ୟ କ୍ଷତି ହୋଇଛି । ଜିଲ୍ଲାରେ ସର୍ବାଧିକ ୧୨ଜଣଙ୍କ ମୃତ୍ୟୁ ହୋଇଛି । ସମୁଦ୍ରକୂଳରେ ଥିବା ହୋଟେଲ କୁଡିକ ପ୍ରାୟତଃ ନଷ୍ଟ ହୋଇଥିଲା । ସହରସାରା ଥିବା ଗଛଗୁଡିକ ସମ୍ପୂଣ୍ଣ ଭାବରେ ନଷ୍ଟ ହୋଇଥିଲା । ଏବେ ଧିରେ ଧରେ ଏଗୁଡିକ ହଟାଗଲାଣି । ତେବେ ବହୁତ ଶିଘ୍ର ସହରର ଅବସ୍ଥା ସୁଧୁରିଯିବ ବୋଲି ଶୁଣିବାକୁ ମିଳୁଛି ।