ପୁରୀ (ଏଟିଆର ବ୍ୟୁରୋ) : ମନମାନୀ କରୁଛନ୍ତି ସେବାୟତ । କାହା କଥାରେ ନାହାଁନ୍ତି ଯେମିତି । ନା ଶ୍ରୀମନ୍ଦିର ପ୍ରଶାସନ, ନା ଜିଲ୍ଲା ପ୍ରଶାସନ । କାହାରି ନିୟନ୍ତ୍ରଣ ନାହିଁ ସେବାୟତଙ୍କ ଉପରେ । ଅତୀତରୁ ବର୍ତ୍ତମାନ, ବର୍ତ୍ତମାନରୁ…. ସବୁବେଳେ ସମସ୍ତଙ୍କ ଠୁ ଉଦ୍ଧ୍ୱର୍ରେ ସେବାୟତ । ନିଜ ଜିଦ ପାଇଁ କେବେ ଠାକୁର ଅପୂଜା ରହିଛନ୍ତି ତ କେବେ ଉପାସ ରହିଛନ୍ତି । ହେଲେ ଏହାର ଅନ୍ତ କେବେ ଓ କେମିତି ତାହାକୁ ନେଇ ଉଠିଛି ସବୁଠୁ ବଡ ପ୍ରଶ୍ନ ।
ସବୁଥର ସେଇ ସମାନ କଥା । ସମାନ ଆଲୋଚନା । ତଥାପି ଫଳ ଶୂନ । ଆମେ କହୁଛୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କଥା । କେବେ ଧାଡି ଦର୍ଶନ, କେବେ ପାଉଣା ବିବାଦ । କେବେ ରଥରେ ଭକ୍ତ ଚଢ଼ିବା ପ୍ରସଙ୍ଗ ଆଉ କେବେ ଭକ୍ତଙ୍କୁ ଦୁର୍ବ୍ୟବହାର । ଗର୍ଭଗୃହରେ ବି ଅନେକ ଥର ପଡିଛି ରକ୍ତଛିଟା । ଅନେକ ଥର ବିଳମ୍ବ ହୋଇଛି ମହାପ୍ରଭୂଙ୍କ ନୀତିକାନ୍ତି । ହେଲେ ଏଥର ସବୁ ସୀମା ଡେଇଁଛନ୍ତି ସେବାୟତ । ବଡ ଦେଉଳରେ ଫିଟିନି ମହାପ୍ରଭୂଙ୍କ ପହୁଡ । ଯାହାଙ୍କ ନାଁ ନେଇ ଓଡିଆ ଘରର ସବୁ ଶୁଭ କାମ ଆରମ୍ଭ ହୁଏ , ସେଇ ବଡ ଠାକୁର ଆଜି ଅଖିଆ ଅପିଆ ଉପାସ ରହିଛନ୍ତି । ଓଡିଶା ଇତିହାସରେ ଏହା ବୋଧହୁଏ ପ୍ରଥମ ଥର ପାଇଁ ହୋଇଛି । କାରଣ ଏମିତି କେବେ ଘଟିଥିବାର ମନେ ପଡୁନାହିଁ ।
ସେବାୟତ କୁହନ୍ତି ଆମ ଘରର ମୁରବୀ ହେଉଛନ୍ତି ବଡ ଠାକୁର । ଘରର ମୁରବୀକୁ ଖାଇବାକୁ ନଦେଇ ଜିଅନ୍ତା ଠାକୁରଟାକୁ ମାରିଦେବେ କି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଛି । ସାମାନ୍ୟ ଯୁକ୍ତିତର୍କ, ଠେଲାପେଲା ଘଟଣାର ପରିଣତି ଏହା ହେବ ବୋଲି କେହି କେବେ କଳ୍ପନା ବି କରି ପାରିବ ନାହିଁ । ହେଲେ ଏମିତି କାହିଁକି ହେଉଛି ? କିଏ ରହିଛି ଏହି ସେବାୟତମାନଙ୍କ ପଛରେ ? କିଏ କରୁଛି ରାଜନୀତି ? କାହା ବଳରେ ଏତେ ବଳୀୟାନ ?
ବାରମ୍ବାର ଏମିତି ଘଟଣା ଘଟୁଛି । ଯାହା ଶ୍ରୀମନ୍ଦିରକୁ ବିଶ୍ୱ ଦରବାରରେ ନିନ୍ଦିତ କରୁଛି । ଆଜି ଯେଉଁଭଳି ଭାବରେ ୧୨ଘଂଟା କାଳ ଶ୍ରୀଜିଉମାନଙ୍କୁ ଉପାସ ରଖାଗଲା, ତାହା ସବୁ ଘଟଣା ଠାରୁ ବଳିଯାଇଛି । ତେବେ ଏହାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାର ଯେ ଆଦୌ ସିରିୟସ ନୁହଁନ୍ତ ତାହା ଜଣାପଡି ଯାଇଛି । ଏ ସମସ୍ୟାର କେବେ ଅନ୍ତଃ ହେଉଛି ତାହା ଦେଖିବାକୁ ବାକି ରହିଲା ।