ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ୧୧ଟି ହୋଟଲରେ କ୍ୱରାଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି । କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନରେ ରହିବା ଜରୁରୀ ରହିଛି । ତେଣୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରର ୧୧ ଘରୋଇ ହୋଟେଲରେ ବିଏମ୍ସି ଦ୍ୱାରା ପେଡ୍ କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ପୂର୍ବରୁ ପର୍ୟ୍ୟାୟକ୍ରମେ ୯ଟି ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ହୋଇଥିବାବେଳେ ଗୁରୁବାର ଆଉ ୨ ହୋଟେଲ ସହ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ମଞ୍ଚେଶ୍ୱରସ୍ଥିତ ହୋଟେଲ୍ ପାରାଡାଇଜ୍ କନ୍ଭେନ୍ଶନ୍ ଓ କଟକ ରୋଡ୍ସ୍ଥିତ ପାର୍କ ରିସୋର୍ଟରେ ବିଏମସି ପକ୍ଷରୁ କ୍ୱାରାଣ୍ଟାଇନ୍ ବ୍ୟବସ୍ଥାକରାଯାଇଛି । ଏହି ହୋଟେଲ ମାନଙ୍କରେ ସନ୍ଦିଗ୍ଧ ମାନେ ଦୈନିକ ୩୦୦ ଟଙ୍କା ଦେଇ କ୍ୱାରାଣ୍ଟାଇନ୍ ରେ ରହିପାରିବେ । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ୧୯୮ ଟି ଦେଶକୁ ବ୍ୟାପି ସାରିଲାଣି । ପ୍ରାୟ ୧୬ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁ ବରଣ କରିସାରିଲେଣି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତରେ ୬୦୦ରୁ ଅଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଓଡିଶାରେ ୩ଟି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶକୁ ୨୧ ଦିନ ଲକ୍ ଡାଉନ୍ କରିଛନ୍ତି ।