ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଓଡିଶା ଆସିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଭୁବନେଶ୍ୱରରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ । ଦିନ ୧୦ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାହୁଲ । ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ପରେ ଭୁବନେଶ୍ୱର ତମାଣ୍ଡୋରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେବେ । ଏହି ସମାବେଶରେ ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ଗୋଟିଏ ପଟେ କଂଗ୍ରେସର ବିଧାୟକ ମାନେ ଦଳର ହାତ ଛାଡୁଥିବା ବେଳେ ରାହୁଲ ଦଳକୁ ଶକ୍ତିଶାଳୀ କରିବାକୁ ଓଡିଶା ଆସିଛନ୍ତି । ସବୁଠୁ ବଡ କଥା ହେଲା, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରତ୍ୟେକ୍ଷ ରାଜନୀତିରେ ଏଣ୍ଟ୍ରି କରାଇ ରାହୁଲ ଅନ୍ୟ ରାଜ୍ୟ ଗୁଡିକ ଉପରେ ଫୋକସ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାଛଡା ଓଡିଶାରେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ନିର୍ବାଚନ ପର୍ଯ୍ୟନ୍ତ ରାହୁଲ ପ୍ରତି ମାସରେ ଓଡିଶାରେ ସମାବେଶ କରିବେ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷ ହେବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ବାରିପଦା ସମାବେଶରେ ରାଫେଲ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ମୋଦି । ପରିବର୍ତ୍ତନ ସଂକଳ୍ପ ସମାବେଶରେ ମୋଦିଙ୍କୁ ଜବାବ ଦେଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ । ସମାବେଶ ପରେ ଅପରାହ୍ଣରେ ରାଜ୍ୟ କଂଗ୍ରେସ ଭବନରେ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ । କ’ଣ ରହିବ ରାହୁଲଙ୍କ ପରିବର୍ତ୍ତନର ବାର୍ତ୍ତା । ରାଜ୍ୟ ସରକାର ଉପରେ ବର୍ଷିବେ ନା ମୋଦିଙ୍କ ପରି ନରମ ମନୋଭାବ ପୋଷଣ କରିବେ ତା ଉପରେ ରହିଛି ନଜର ।
ପ୍ରଦେଶ କଂଗ୍ରେସ ବାରମ୍ବାର ବିଜେଡି-ବିଜେପି ଭିତିରି ସଂପର୍କ କଥା କହୁଥିବା ବେଳେ ରାହୁଲ୍ ଏ ଦିଗରେ କ’ଣ କହିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିନ ୧୦ଟା ୪୫ରେ ରାହୁଲ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ମୋଟର ସାଇକେଲ୍ ରାଲିରେ ତାଙ୍କୁ ପାଛୋଟି ନିଆଯିବ। ପ୍ରଥମେ ସେ ହୋଟେଲ୍ ମେଫେୟାରରେ ସମାଜର ଟାଉନହଲ୍ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ବୁଦ୍ଧିଜୀବୀଙ୍କ ସହ ମତ ବିନିମୟ କରିବେ। ଅପରାହ୍ନରେ ତମାଣ୍ଡୋ ମିନି ଷ୍ଟାଡ଼ିୟମରେ ସାଧାରଣ ସଭାକୁ ସମ୍ବୋଧନ କରିବେ। ଏହାପରେ ପିସିସି ମୁଖ୍ୟାଳୟଠାରେ ସେ ହାଲ୍ ଓ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ସହ ସାକ୍ଷାତ କରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
ସେପଟେ ରାହୁଲ ନିର୍ବାଚନ ପୂର୍ବରୁ ମାସକୁ ଥରେ ଓଡିଶା ଆସିବେ ବୋଲି ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ । ନିକଟରେ ୩ଟି ରାଜ୍ୟରେ ରହୁଲଙ୍କ ବରିଷ୍ଠ ନେତୃତ୍ୱ ପାଇଁ ସରକାର ଗଢ଼ିଛି । ଚାଷୀଙ୍କୁ ଅସ୍ତ୍ର କରି କଂଗ୍ରେସ ନିର୍ବାଚନ ଜିତି ଥିବାରୁ ଓଡିଶାରେ ମଧ୍ୟ ଚାଷୀଙ୍କ ଭୋଟ ବ୍ୟାଙ୍କ ହାତେଇବା ପାଇଁ ନୂଆ ଯୋଜନା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷୁଛନ୍ତି ନାଁ କେନ୍ଦ୍ର ସରକାର ଉପରେ ବର୍ଷୁଛନ୍ତିି ତାହା ଉପରେ ସମସ୍ତଙ୍କ ନଜର । ରାହୁଲଙ୍କ ଗସ୍ତରେ ଓଡିଶାରେ ପ୍ରଭାବ ପଡିବ ବୋଲି ଆଶା ରଖିଛନ୍ତି ଦଳୀୟ ନେତା । କିନ୍ତୁ ବିଜେଡି କହିଛି ଯେତେ କେନ୍ଦ୍ରୀୟ ନେତା ଆସି ଡେରା ପକାଇଲେ ମଧ୍ୟ ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପଡିବ ନାହିଁ । ନବୀନଙ୍କ ଲୋକ ପ୍ରିୟତା ବଜାୟ ରହିବ । ଏବଂ ପୁନର୍ବାର ସରକାର ଗଠନ କରାଯିବ ।