ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ଓଡିଶା ରାଜନୀତିରେ ପାଣିପାଗ ଅଲଗା ରହିବ । ଗୋଟିଏ ପଟେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କର୍ମୀ ସମ୍ମିଳନୀ କରୁଥିବା ବେଳେ ଅନ୍ୟ ପଟେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ କରୁଛନ୍ତି ସରକାରୀ କାର୍ଯ୍ୟକ୍ରମ । ଭୁବନେଶ୍ୱର ତମାଣ୍ଡୋ ପଡିଆରେ ରାହୁଲ କର୍ମୀମାନଙ୍କୁ ଗୁରୁ ଜ୍ଞାନ ଦେଉଥିବା ବେଳେ ପୁରୀରେ ‘କାଳିଆ’ ଯୋଜନାକୁ ନେଇ ଏକ ସରକାରୀ କାର୍ଯ୍ୟକ୍ରମ କରାଯାଇଛି । ତମାଣ୍ଡୋରେ ଅଢ଼େଇ ଲକ୍ଷ କର୍ମୀଙ୍କୁ ନେଇ ସାଧାରଣ ସଭା ଆୟୋଜନ ହୋଇଥିବା ବେଳେ ପୁରୀରେ ଲକ୍ଷେ ଲୋକଙ୍କ ସମାଗମରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ଏଣୁ ଭୁବନେଶ୍ୱର ଏବଂ ପୁରୀରେ ଗୋଟିଏ ଦିନରେ ଦୁଇଟି ବଡ ସଭା ହେଉଥିବାରୁ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଓଡିଶା ଆସି ସାଧାରଣ ସଭା କରିବା ପାଇଁ କଂଗ୍ରେସ ସୂଚନା ଦେଇଥିବା ବେଳେ ହଠାତ ନବୀନଙ୍କ ସଭାକୁ ନେଇ ଚର୍ଚ୍ଚା ହେଉଛି ।
ନିକଟରେ ରାହୁଲ ଗାନ୍ଧୀ ଚାଷୀଙ୍କୁ ଅସ୍ତ୍ର କରି ତିନୋଟି ରାଜ୍ୟରେ ନିର୍ବାଚନ ଜିତି ସରକାର ଗଢ଼ିଛନ୍ତି । ତେବେ ରାହୁଲ ଓଡିଶା ଆସିବା ପାଇଁ ଘୋଷଣା କରିଥିଲେ । ଏଣୁ ଓଡିଶାରେ ମଧ୍ୟ ଅଧିକ ଚାଷୀ ଥିବାରୁ ରାହୁଲ ଚାଷୀଙ୍କୁ ଟାର୍ଗେଟ କରିବେ ବୋଲି ଶୁଣା ଯାଉଥିଲା । ଏଣୁ ରାଜ୍ୟ ସରକାର ନିକଟରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା ‘କାଳିଆ’ ଯୋଜନା କାର୍ଯ୍ୟକ୍ରମ କରିବା ପାଇଁ ମନେ ପଡିଲା ବୋଲି କଂଗ୍ରେସ ଅଭିଯୋଗ କରିଛି । ରାହୁଲ କାଳେ ଓଡିଶାର ଚାଷୀଙ୍କ ମନ ଜିଣି କିଛି ବଡ ଘୋଷଣା କରିବେ ସେ ଭୟରେ ନବୀନ ପୁରୀରେ ଏହି କାର୍ଯ୍ୟକ୍ରମ କରିଛନ୍ତି । ମାତ୍ର ରାଜ୍ୟ ସରକାର ଯେତେ ଯାହା କଲେ ମଧ୍ୟ ଏଥର ପରିବର୍ତ୍ତନ ହେବ ବୋଲି କଂଗ୍ରେସ କହିଛି । କାରଣ ନିରଞ୍ଜନ ପିସିସି ସଭାପତି ହେବା ପରେ ପରିବର୍ତ୍ତନର ନାରା ଦେଇ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ।
ଆଜି ପ୍ରଥମ ପର୍ଯ୍ୟାୟରେ ‘କାଳିଆ’ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀଙ୍କ ଖାତାକୁ ପଇସା ଆସିବ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏଣୁ ଯୋଜନାରେ ଚାଷୀଙ୍କୁ ଟଙ୍କା ଯୋଗାଇବା ପାଇଁ ପୁରୀରେ ସରକାରୀ କାର୍ଯ୍ୟକ୍ରମ କରିଛନ୍ତି ନବୀନ । ସେପଟେ ଭୁବନେଶ୍ୱର ତମାଣ୍ଡୋ ପଡିଆରେ ରାହୁଲ କର୍ମୀ ସମ୍ମିଳନୀ କରି ନେତାଙ୍କୁ କର୍ଣ୍ଣ ମନ୍ତ୍ର ଦେବେ । ୨୦୧୯ ସାଧାରଣ ନିର୍ବାଚନରେ ଦଳ କିପରି ବିଜୟ ହେବ । ଏବଂ ଦଳରେ ଯେଭଳି ଫାଟ ନହୋଇ ଏକତ୍ରିତ ହୋଇ କାମ କରିବେ ସେ ନେଇ କର୍ମୀଙ୍କୁ ବୁଝାଇବେ ରାହୁଲ । ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ଚାଷୀଙ୍କ ପାଇଁ ସବୁବେଳେ କଂଗ୍ରେସ କରୁଥିଲା ଏବଂ କାମ କରୁଥିବ ବୋଲି କହିଛନ୍ତି ରାହୁଲ । ମାତ୍ର ନିର୍ବାଚନ ପାଖେଇ ଆସୁଥିବାରୁ ନବୀନ ଚାଷୀଙ୍କୁ ମୋହରା ବନେଇବା ପାଇଁ କାଳିଆ ଯୋଜନା ଘୋଷଣା କରିଥିବା କଂଗ୍ରେସ ଅଭିଯୋଗ କରିଛି । ମାଳ ମାଳ କେନ୍ଦ୍ରୀୟ ନେତା ମାସ ମାସ ଧରି ଡେରା ପକାଇଲେ ମଧ୍ୟ ବିଜେଡି ପୁଣିଥରେ ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ଦେଇଛି ବିଜେଡି ।