କଟକ,(ଏଟିଆର ବ୍ୟୁରୋ): ଲୋକଙ୍କୁ ଠକୁଥିଲେ । ବାସି ଖାଦ୍ୟ ଦେଇ ମୋଟା ଟଙ୍କା ଭିଡୁଥିଲେ । ଯାତ୍ରା ଭିଡରେ ଏଭଳି କାରବାର କରୁଥିବା କେତେକ ଦୋକାନୀଙ୍କୁ ଉଚିତ ସବକ ଶିଖାଇଛି କମିଶନରେଟ ପୁଲିସ । ଅଚାନକ ଚଢ଼ାଉ କରି ଦୁଇଦିନ ଭିତରେ ପାଖାପାଖି ୨କୁଇଣ୍ଟାଲ ବାସି ଖାଦ୍ୟ ଜବତ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ ।
ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା । ଯାହାପାଇଁ ଲୋକଙ୍କ ଭିଡ଼ ଜମୁଛି । ଏହାର ଫାଇଦା ଉଠାଇ ବ୍ୟବସାୟୀମାନେ ଲୋକଙ୍କୁ ଠକୁଛନ୍ତି । ଗରମାଗରମ ଓ ଚଟପଟି ଖାଦ୍ୟ ଆଳରେ ଲୋକଙ୍କୁ ଏକ ପ୍ରକାର ବିଷ ଦେଉଛନ୍ତି । ବାସି ଖାଦ୍ୟକୁ ଗରମ କରି ଲୋକଙ୍କୁ ଖୁଆଉଥିବା ଅଭିଯୋଗ ଉଠିବା ପରେ ଚିହିଁକି ଉଠିଥିଲା ଜିଲ୍ଲା ପ୍ରାଶସନ । ଅଚାନକ ପୁଲିସ ସହାୟତାରେ ଯାତ୍ରା ପଡିଆ ମଧ୍ୟରେ ଥିବା ଏକାଧିକ ଦୋକାନ ଉପରେ ଚଢ଼ାଉ କରି ଯାଞ୍ଚ ଆରମ୍ଭ ହୋଇଥିଲା । ତେବେ ଯାଞ୍ଚ ସମୟରେ ଯେଉଁ ଚିତ୍ର ଏବେ ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣଙ୍କ ହୋସ ଉଡିଯିବ ।
ଖାଇବା ପୂର୍ବରୁ ୧୦ଥର ଆପଣ ଚିନ୍ତା କରିବେ । କାରଣ ପାଟିକୁ ସୁଆଦ ଲାଗୁଥିବା ଖାଦ୍ୟ ଯେ ଏକ ପ୍ରକାର ବିଷ ତାହା ଆପଣ କେବେ ଚିନ୍ତା ବି କରିପାରିବେନି । ଯାହାର ଆଖିଦେଖା ପ୍ରମାଣ ହେଉଛି ଚଢ଼ାଉ ସମୟରେ ଜବତ ହୋଇଥିବା ଏସବୁ ଖାଦ୍ୟ । ପ୍ରଶାସନ ଚଢ଼ାଉ କରି ବାସି ଖାଦ୍ୟ ଜବତ କରିବା ଘଟଣାକୁ ଏବେ ସବୁ ସ୍ତରରୁ ପ୍ରଶଂସା କରାଯାଇଛି । କେବଳ ଯାତ୍ରା ନୁହେଁ ସିଟି ଭିତରେ ମଧ୍ୟ ଏଭଳି ଯାଞ୍ଚ କରାଗଲେ ଆହୁରି ଅନେକ ବେପାରିଙ୍କ ଅସଲ ଚିତ୍ର ପଦାକୁ ଆସିବ ବୋଲି ମତ ପ୍ରକାଶ ପାଇଛି ।