ସମ୍ବଲପୁର (ଏଟିଆର ବ୍ୟୁରୋ): ପେଶାରେ ରେଳ କର୍ମଚାରୀ କିନ୍ତୁ ନିଶା ହେଲା ଚୋରି । ଏଭଳି ଏକ ଚୋରି ଅଭିଯୋଗରେ ଗିରଫ ହୋଇଛନ୍ତି ରେଳ ବିଭାଗରେ କାମ କରୁଥିବା ଜଣେ ଠିକା ସୁପରଭାଇଜର । ତାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି ପୋଲିସ୍ ।
ଖବରମୁତାବକ, ଚଳିତ ମାସ ଗତ ୫ ତାରିଖରେ ସମ୍ବଲପୁରର ମନୋଜ ଦାସ ତାଙ୍କ ସପରିବାର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁରୀ ସମ୍ବଲପୁର ଇଣ୍ଟରସିଟି ଯୋଗେ ସମ୍ବଲପୁର ଫରୁଥିଲେ । ମାତ୍ର ଅଧାବାଟରେ ଶ୍ରୀ ଦାସଙ୍କ ପତ୍ନୀ ତାଙ୍କ ଭ୍ୟାନିଟି ବ୍ୟାଗ୍ ଖୋଜିଲା ବେଳକୁ ତାଙ୍କୁ ବ୍ୟାଗ୍ ଟି ମିଳିନଥିଲା । ଫଳରେ ବ୍ୟାଗରେ ଟଙ୍କା ଓ ସୁନା, ଗହଣା ଥିବାରୁ ସେମାନେ ବ୍ୟତିବ୍ୟସ୍ତ ହୋଇ ତୁରନ୍ତ ଜିଆରପି ଥାନା ଅଭିଯୋଗ କରିଥିଲେ । ଏନେଇ ରେଳବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ପୋଲିସ୍ ର ତନାଘନା ଛାନ୍ ଭିନ୍ ରେ ରେଳ ଠିକାଦାର ନୂତନ ଚରଣ ବାଗଙ୍କୁ ସନ୍ଦେହ କରି ଗତକାଲି ରାତିରେ ତାଙ୍କ ଘର ଉପରେ ଚଢାଉ କରିଥିଲା । ଏହାପରେ ପୋଲିସ୍ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ କରିବା ସହ ତାଙ୍କୁ ଗିରଫ କରିଛି ।