ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ଜ୍ୟ ବସ୍ତୁ ପରିଚାଳନା କରିବା ପାଇଁ ଉଭୟ କେନ୍ଦ୍ରର ଓ ରାଜ୍ୟ ସରକାର ବହୁ ପଦକ୍ଷପ ଗ୍ରହଣ କରୁଛନ୍ତି । ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ତାହାକୁ ବ୍ୟବହାର ଯୋଗ୍ୟ କରାଯିବ । ରାଜ୍ୟରେ ଥିବା ପ୍ରମୁଖ ରେଳ ଷ୍ଟେସନରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯିପବ । ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଭୁବନେଶ୍ୱର, କଟକ ଓ ପୁରୀ ରେଳ ଷ୍ଟେସନରେ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ ହେବ । ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ରାଜ୍ୟସଭାରେ ଏଭଳି ଉତ୍ତର ରଖିଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ରାଜ୍ୟସଭାରେ ସସ୍ମିତ ପ୍ରଶ୍ନ କରିଥିଲେ ଯେ, ଓଡିଶାର ପ୍ରମୁଖ ରେଳ ଷ୍ଟେସନରେ ବର୍ଜ୍ୟ ପରିଚାଳନା ପାଇଁ କଣ ପଦକ୍ଷପ ନିଆଯାଇଛି । ଏହାର ଉତ୍ତର ରଖି ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ପୁରୀ ଓ ଭୁବନେଶ୍ୱର ରେଳ ଷ୍ଟେସନରେ ଦୁଇଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରୁଛି ।
ଟ୍ରେନରୁ ଧୂଆଁରୁ ନିର୍ଗତ ଜଳକୁ ପ୍ରକ୍ରିୟାକରଣ କରାଯାଇ ଏହାକୁ ପୁନଃ ବ୍ୟବହାର କରାଯାଉଛି । ସମ୍ବଲପୁର ଷ୍ଟେସନରେ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଉଥିବା ବେଳେ ଖୋର୍ଦ୍ଧା ରୋଡ ଷ୍ଟେସନରେ ଏହା ପ୍ରତିଷ୍ଠା କରାଯାଇଛି । ଅନ୍ୟ ରେଳ ଷ୍ଟେସନରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେବା ପାଇଁ ଯୋଜନା କରାଯାଉଛି । ଘରୋଇ ସଂସ୍ଥା ଗୁଡିକ ଷ୍ଟେସନରୁ ବାହାରୁ ଥିବା ବର୍ଜ୍ୟବସ୍ତୁକୁ କିଣି ଏହାକୁ ପ୍ରକ୍ରିୟାକରଣ କରିବେ କିମ୍ବା ଏଥିରୁ ଶକ୍ତି ଉତ୍ପାଦନ କରିବେ । ରେଳ ଷ୍ଟେସନ ମାନଙ୍କରେ ୫୦ ମାଇକ୍ରୋନରୁ କମ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ କରାଯାଇଛି । ଏହା ସହ ଭୁବନେଶ୍ୱର, କଟକ, ପୁରୀ ଓ ସମ୍ବଲପୁର ରେଳ ଷ୍ଟେସନରେ ପ୍ଲାଷ୍ଟିକ କ୍ରସିଂ ମେଶିନ ଲଗାଯାଇଛି ବୋଲି ରେଳ ମନ୍ତ୍ରୀ କହିଥିଲେ ।