ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆଜିଠାରୁ ଓଡିଆ ଭାଷାରେ ଅଣସଂରକ୍ଷିତ ଟ୍ରେନ ଟିକେଟ । ହିନ୍ଦୀ ଓ ଇଂରାଜୀ ପାଇଁ ଆଉ ହଇରାଣ ହେବେ ନାହିଁ ସାଧାରଣ ଲୋକେ । ଓଡିଆ ଭାଷାରେ ଟିକେଟରେ ଥିବା ସମସ୍ତ ବିବରଣୀ ପଢିପାରିବେ । ଦେଶର ସବୁ ଷ୍ଟେସନରୁ ଯାତ୍ରୀ ମାନେ ଓଡିଆ ଭାଷାରେ ଲେଖା ହୋଇଥିବା ଟ୍ରେନ ଟିକେଟ କିଣି ପାରିବେ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥତମ କରି ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ରେଳ ସଦନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।
ସୂଚନାଯୋଗ୍ୟ ପୂର୍ବରୁ ଦିଆଯାଉଥିବା ଅଣସଂରକ୍ଷିତ ଟିକେଟରେ ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ଦିଆଯାଇଥାଏ । ଯାହା ଫଳରେ ସାଧାରଣ ଲୋକେ ଏହାକୁ ବୁଝିବା ପାଇଁ କଷ୍ଟକର ହୋଇଥାଏ । ଓଡିଆ ଭାଷାର ଅଧିକ ପ୍ରଚଳନ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ଯୋଜନା ପ୍ରଚଳନ କରାଯାଉଥିବା ଜଣା ପଡିଛି ।
ସେହିଭଳି ଆଜି ଜୁନାଗଡ଼ ରୋଡ଼-ଭୁବନେଶ୍ୱର-ଜୁନାଗଡ଼ ରୋଡ଼ ଏକ୍ସପ୍ରେସର ପୃଥକ ଭାବେ ଚଳାଚଳ ଆରମ୍ଭ ହେବ। ଯାହା ପୂର୍ବରୁ ଭୁବନେଶ୍ୱର-ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ସହିତ ଭୁବନେଶ୍ୱର ଓ ରାୟଗଡ଼ା ମଧ୍ୟରେ ଉଭୟ ଦିଗରୁ ଚଳାଚଳ କରୁଥିଲା। ରାୟଗଡ଼ାରୁ ଅଲଗା ଜଗଦଲପୁର ଓ ଜୁନାଗଡ଼ ରୋଡ଼ ଯାତ୍ରା କରୁଥିଲା।
ତେବେ ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମଳିଛି ।