ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଲୁଚକାଳି ଖେଳୁଛି ବର୍ଷା । ଆସୁଛି ଦେଖା ଦେଉଛି ପୁଣି ଲୁଚି ଯାଉଛି । ଚଳିତ ବର୍ଷ ଏମିତି ଲୁଚକାଳି ଖେଳୁଛି ବର୍ଷା । ଆସିଲେ ବୁଡେଇ ଦେଉଛି ନ ହେଲେ ହଜି ଯାଉଛି । ବର୍ଷାର ଏମିତି ଲୁଚକାଳି ଖେଳକୁ ନେଇ ଏବେ ଚଷା ପୁଅ ଚିନ୍ତାରେ । ଚାଷ ପ୍ରଭାବିତ ହେବାକୁ ନେଇ ଆଶଙ୍କାରେ ଚାଷୀ । ଗତ ତିନି ଦିନ ତଳେ ଉପକୂଳ ଅଞ୍ଚଳରେ ବର୍ଷା ବଢିଥିଲା । ମାତ୍ର ଗତ ଦୁଇଦିନ ହେଲା ଖରା ଯେଉଁ ପରିମାଣରେ ବଢିଛି ପୁଣି କ୍ଷେତରେ ପାଣି ଶୁଖି ଆଁ କଲାଣି ମାଟି ।
ଧାନ ରୋଇବା ପାଇଁ ପାଗ ଅନୁକୂଳ ହେଉନି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ଏମିତି ଅବସ୍ଥା ଦେଖିବାକୁ ମିିଳିଛି । ତେବେ ଓଡିଶା ଉପରେ ରହିଥିବା ଲଘୁଚାପ ପ୍ରଭାବରେ ଆଜିଠାରୁ ବର୍ଷାର ପରିମାଣ ସାମାନ୍ୟ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଦକ୍ଷ ୀଣ ଓଡିଶାରେ ବର୍ଷାର ପରିମାଣ ବଢିପାରେ ।
କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମେତ ଗୋଟିଏ ଦୁଇଟି ସ୍ଥାନରେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ। ଗୋଟେ ପଟେ ଉପକୂଳ ଓଡିଶାରେ ବର୍ଷା ପାଇଁ ଚାଷ ପ୍ରଭାବିତ ହେଉଥିବା ବେଳେ ଆଉ ଗୋଟିଏ ପଟେ ଦକ୍ଷ ୀଣ ଓଡିଶାରେ ବର୍ଷାର ପରିମାଣ ବଢିବା ଚିନ୍ତାର କାରଣ ପାଲଟିଛି । ଗତ ୧୪ ତାରିଖରେ ହୋଇଥିବା ବର୍ଷାରେ ଦକ୍ଷୀଣ ଓଡିଶାରେ ଏକ ପ୍ରକାର ବନ୍ୟାର ପରିସ୍ଥିତି ଦେଖିବାକୁ ମିଳିଥିଲା ।