ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୪ ମାସ ୬ ଦିନ ରହିବା ପରେ ସାରା ଦେଶରୁ ବିଦାୟ ନେଇଛି ମୌସୁମୀ ବାୟୁ । ତଥାପି ଏବେ ବି ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଇ ନାହିଁ ବର୍ଷା । ଆଉ ଦିନେ କି ଦୁଇଦିନ କେତେକ ସ୍ଥାନରେ ବର୍ଷା ହେବାର ଅନୁମାନ କରଯାଉଛି । ଆଜି ୬ ଟି ଜିଲ୍ଲାକୁ ବର୍ଷା ହେବା ଆଶଙ୍କା କରାଯାଇଛି ।ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ଆଜି ଅପରାହ୍ନ ସୁଦ୍ଧା ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାକି ଦକ୍ଷିଣ କର୍ଣ୍ଣାଟକ ପର୍ଯ୍ୟନ୍ତ ଲମ୍ବିଛି। ସେହିପରି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରଠାରୁ ତାମିଲନାଡ଼ୁ ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରପ୍-ଲାଇନ୍ ସୃଷ୍ଟି ହୋଇଥିବାରୁ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଆରବ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ୨୧ ତାରିଖଠାରୁ ଓଡ଼ିଶାକୁ ଉତ୍ତର ପଶ୍ଚିମ ପବନ ବୋହିବ ତେଣୁ ଏହି ମାସରେ ଆଉ ଓଡିଶାକୁ ଆଉ କୌଣସି ବାତ୍ୟା ହେବ ନାହିଁ ।
ଚଳିତ ବର୍ଷ ୧୧ ଦିନ ବିଳମ୍ବରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲେ ମଧ୍ୟ ପ୍ରଥମ ଗୋଟିଏ ମାସ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଅନୁମାନ କରାଯାଉଥିଲା ଏବର୍ଷ ବର୍ଷାରେ ଚାଷ ପ୍ରଭାବିତ ହେବ । ମାତ୍ର ପରେ ବର୍ଷା ସ୍ୱାଭାବିକ ହୋଇଥିଲା । ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି ।