ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଗତକାଲି ଠାରୁ ଲାଗି ରହିଛି ବର୍ଷା । ଯାହାର ପ୍ରଭାବରେ ଗତକାଲି ସକାଳ ଠାରୁ ଧନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ଗଲାଣି । କୋଉଠି କାନ୍ଥ ଭୁଷୁଡି ପଡିଲାଣି ଆଉ କେଉଁଠି ଘରେ ଲହଡି ମାରୁଛି ଆଣଣ୍ଠୁଏ ଉଚ୍ଚର ବର୍ଷା ଜଳ । ସୂଚନା ଅନ୍ୁସାରେ ରାଜ୍ୟରେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ୬ ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ସେହିଭଳି ଲଗାଣ ବର୍ଷା ଯୋଗୁ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି ।
ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍ ଟ୍ରେନ୍, ବିଶାଖାପାଟଣା-ବ୍ରହ୍ମପୁର ଓ୍ୱାନ୍ ପେୟାର ପାସେଞ୍ଜର , ବ୍ରହ୍ମପୁର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର , ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ବାତିଲ କରାଯାଇଛି । ଟ୍ରାକରେ ପାଣି ଜମା ହୋଇଥିବାରୁ ଏହି ସବୁ ଟ୍ରେନକୁ ବାତିଲ କରାଯାଇଥିବା ଜଣା ପଡିଛି । ଏହି ଲଗାଣ ବର୍ଷା ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ । ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୧୬୬.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।