ଭୁବନେଶ୍ୱର( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ସମସ୍ତ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ତେବେ ଆଜି ଠାରୁ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ଅନୁମାନ କରାଯାଉଛି । ଗତକାଲି ରାତିରେ ଉପକୂଳ ଓଡିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ତେବେ ଭୁବନେଶ୍ୱରରେ ସକାଳୁ ସକାଳୁ ପାଗ ସାମାନ୍ୟ ରହିଥିବା ବେଳେ କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ପୁରୀରେ ମଧ୍ୟମ ଧରଣର ବର୍ଷା ହୋଇଛି ।
ତେବେ ଆଜି କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରିଛି ପାଣିପାଗ ବିଭାଗ । ଦିନ ୧୧ ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ୧୧ ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଥିଲା । ଏହି ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ବାଲେଶ୍ୱର , ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି , କେନ୍ଦ୍ରାପଡା, ଖୋର୍ଦ୍ଧା, ଜଗତସିଂହପୁର, କଟକ, ମୟୁରଭଞ୍ଜ ଓ ଭଦ୍ରକ । ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ କେତେକ ନଦୀରେ ପୁଣି ଜଳସ୍ତର ବଢିଛି । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ବ୍ଲକ ମଧ୍ୟ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି ।