ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲିଆ ରହିବା ସହ ଆକାଶ ମେଘାଚ୍ଛନ୍ନ ରହିଛି । ତେବେ ଆସନ୍ତା ୨୪ଘଣ୍ଟା ପାଇଁ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ୯ଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୭ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, ନୟାଗଡ଼, କୋରାପୁଟ, କଳାହାଣ୍ଡି ଓ ନୂଆପଡ଼ାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ସୂଚନା ଦେଇଛନ୍ତି । ସୂଚନାନୁଯାୟୀ ଦକ୍ଷିଣ ଓଡିଶା ସମେତ ନୂଆପଡା, ନୟାଗଡ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇପାରେ । ୫ ଓ ୬ ତାରିଖରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ଓ ଘୂର୍ଣ୍ଣିଝଡ଼ ହୋଇପାରେ । ୭ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ରହିବା ସହ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।