ଚିଲିକା ( ଏଟିଆର ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର । ତିନି ରାଜନୈତିକ ଦଳ ସେମାନଙ୍କର ପ୍ରଚାରକୁ ସରଗରମ କରିଛନ୍ତି । ବିଜେପି ପାଇଁ କେନ୍ଦ୍ରୀୟ ନେତା ଆସି ତୁହାକୁ ତୁହା ପ୍ରଚାର କରୁଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରଚାରର ମଙ୍ଗ ଧରିଛନ୍ତି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚିଲିକାରେ ଦଳୀୟ ପ୍ରଚାରରେ ଯୋଗ ଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି । ନବୀନ କହିଛନ୍ତି ଚିଲିକାକୁ ବିକ୍ରି କରିଦେବାକୁ ବସିଥିଲା ବିଜେପି ଯାହାକୁ ଅଟକାଇଛି ବିଜେଡି । ଚିଲିକା ହେଉଛି ଓଡିଶାର ଗର୍ବ । ମୁଁ ଥିବା ଯାଏ କେବେ ଏମିତି ହେବାକୁ ଦେବିନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ଯାହା ବର୍ତ୍ତମାନ ନିର୍ବାଚନ ପ୍ରଚାରକୁ ଆହୁରି ସରଗରମ କରୁଛି ।
ଯାହାର ଜବାବରେ ବିଜେପି କହିଛି ନବୀନ ବାବୁ ଭୟଭୀତ ହୋଇ ଏମିତି କହୁଛନ୍ତି । ପ୍ରଥମେ ସେ କୁହନ୍ତୁ ଚିଲିକା ପାଇଁ ବିଜେଡି କଣ ସବୁ କରିଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କରଞ୍ଜିଆରେ ଆଜି ଓଡିଶା ଗସ୍ତରେ ଆସି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେଡିକୁ ବାରମ୍ବାର ଦେଖିଲେଣି ଥରେ ଆମକୁ ସୁଯୋଗ ଦେଇ ଦେଖନ୍ତୁ । ସରକାର କେମିତି ଚାଲେ ଆମେ ଦେଖାଇଦବୁ । ଏଥର ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି । ଉଭୟ ଦଳର ପ୍ରଚାରରେ ପରସ୍ପରକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳିଥିଲା ।