ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଅନୁମତି ଦେଲେ କଟକଣା ସହ ମହାପ୍ରଭୁଙ୍କ ରଥଯାତ୍ରା ହୋଇଯାରିବ । ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ଶ୍ରୀମନ୍ଦିର ପରିଚାଳନ କମିଟି ଓ ସରକାରଙ୍କ ମଧ୍ୟରେ ମାହାପ୍ରଭୁଙ୍କ ରଥଯାତ୍ରା ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ପରିଚାଳନ କମିଟି ପକ୍ଷରୁ କଟକଣା ସହ ରଥଯାତ୍ରା ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଆଲୋଚନା ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦବ୍ୟସିଂହ ଦେବ କହିଛନ୍ତି ଯେ, କଟକଣା ସହ ସମସ୍ତ ବିଧି ଅନୁସାରେ ମହାପ୍ରଭୁଙ୍କ ରଥଯାତ୍ରା ହେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସରକାର ଅନୁମତି ଦେଲେ ଅଳ୍ପ ସେବାୟତ, ପ୍ରଶାସନିକ ଅଧିକାରୀ ଓ ପୋଲିସଙ୍କ ଉପସ୍ଥିତିରେ ରଥଯାତ୍ରା ହୋଇପାରିବ ।
ରଥଯାତ୍ରା ସମୟରେ ବଡଦାଣ୍ଡକୁ ଭକ୍ତମାନଙ୍କ ପ୍ରବେଶ ଉପରେ କଟକଣା ରହିବ, କୌଣସି ଭକ୍ତ ବଡ଼ଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ନିଳାଦ୍ରୀ ବିଜେ ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ ରହିବ ବୋଲି ବି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଗଜପତି ମହାରାଜ କହିଛନ୍ତି। ଅନ୍ୟପଟେ ଚଳିତ ବର୍ଷ ସ୍ନାନ ପୂର୍ଣ୍ଣିମା ଅଳ୍ପ ସେବାୟତ ମାନଙ୍କୁ ନେଇ ଅନୁଷ୍ଠିତ ହେବ । ସେବାୟତ ମାନେ ଯଥା ସମ୍ଭବ କରୋନା ନିୟମାବଳୀ ମାନିବେ । ତେବେ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧାରପ୍ରସାରଣ ବ୍ୟବସ୍ଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ କରିବ ବୋଲି ଗଜପତି ମହାରାଜ ସୂଚନା ଦେଇଛନ୍ତି ।