ରାୟଗଡ଼ା,(ଏଟିଆର ବ୍ୟୁରୋ): ଯାହାକୁ ରଖିବେ ଅନନ୍ତ କି’ କରିପାରେ ବଳବନ୍ତ । ଆମେ ଏ କଥା କହିବାର ମାନେ ହେଉଛି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ାର ମୁନିଗୁଡା ଅଞ୍ଚଳରେ । ମୁନିଗୁଡା ରେଳ ଧାରଣା କଡ଼ରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି ।
ତେବେ ନବଜାତ ଶିଶୁକନ୍ୟାଟି କାହାର ଓ କିଏ ଆଣି ରେଳ ଧାରଣା କଡ଼ରେ ଫିଙ୍ଗିଥିଲା ସେନେଇ ଅଦ୍ୟାବଧି କୌଣସି ସୂଚନା ମିଳିନାହିଁ । ତେବେ ଶିଶୁକନ୍ୟାଟିର କାନ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ହସ୍ତିନୀ ନାଗ ନାମକ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରିବା ସହ ନିଜ ପାଖରେ ଆଣି ରଖିଛନ୍ତି । ତେବେ ପିଲାଟିକୁ ଜନ୍ମ ଦେବା ପରେ କେହି ଫିଙ୍ଗି ଦେଇଯାଇଥିବା ସନ୍ଦେହ କରାଯାଉଛି ।
ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ସାମ୍ନାକୁ ଆସିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ସେପଟେ ପିଲାଟିକୁ ପାଇ ହସ୍ତିନୀ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।