ପୁରୀ( ଏଟିଆର ବ୍ୟୁରୋ): ଆଧ୍ୟାତ୍ମିକ କ୍ଷେତ୍ର ଉପରେ ଯେଉଁ ନିଷ୍ପତ୍ତି ନିଆଯିବ ତାହା କଣ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ନେବେ? ଧର୍ମ ଶାସ୍ତ୍ର ଅନୁସାରେ ଶ୍ରୀମନ୍ଦିର ପରିଚାଳନା ହେଉ । ଶଙ୍କରାଚାର୍ଯ୍ୟ ମଠ ଜମିକୁ ଶ୍ରୀମନ୍ଦିର ଜମି କରାଯିବା ଅବୈଧ । ଶଙ୍କରାଚାର୍ୟ୍ୟଙ୍କ ପରାମର୍ଶ ବିନା ଶ୍ରୀମନ୍ଦିର ସଂସ୍କାର ନିଷ୍ପତ୍ତି ଉଚିତ୍ ହୋଇ ନାହିଁ । ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଠାରୁ ୭୫ ମିଟର ମଧ୍ୟରେ ହେଉଥିବା ବିଭିନ୍ନ ମଠ ଉଚ୍ଛେଦକୁ ନେଇ ଏମିତି କିଛି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ।
ସେ ଆହୁରି ମଧ୍ୟ କହିଛନ୍ତି ବ୍ରିଟିଶ ଶାସନ କାଳରେ ମଠ କାହା ଅଧିନରେ ନଥିଲା । ପୁରୀରେ ଉଚ୍ଛେଦ ଚାଲିଥିବା ବେଳେ ଆଜି ନିଜ ମଠ ଜମି ସମସ୍ୟା କଥା ଉଠାଇଛନ୍ତି ଶଙ୍କରାଚାର୍ଯ୍ୟ । ଦେବୋତ୍ତୋର ବିଭାଗର ନିଷ୍କ୍ରିୟତା ଲାଗି ଶଙ୍କରାଚାର୍ୟ୍ୟ ମଠ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ସେ ଦର୍ଶାଇଛନ୍ତି । ଏ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଅନ୍ୟପଟେ ଏମାର ମଠ ମହନ୍ତ ଆଜି ମଠ ଛାଡିବାକୁ ରାଜି ହୋଇଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ମହନ୍ତଙ୍କ ରହିବା ପାଇଁ ଏକ ସ୍ୱତନ୍ତ୍ର କଣ୍ଟେନର ବ୍ୟବସ୍ଥା କରାଯାଇଛି ।