ଭୁବନେଶ୍ୱର,(ଏଟିଆରବ୍ୟୁରୋ): ପୂରାପୂରି ବ୍ରିଟିସ ରାଜ । ଚାନ୍ଦା ମିଳିଲାନି ବୋଲି ରାସ୍ତା କାଟିଲେ । ଫଳସ୍ୱରୂପ ପୂରା କଲୋନୀ ଲୋକେ ଏବେ ନାକରେ କାନ୍ଦୁଛନ୍ତି । ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏଭଳି ଏକ ଘଟଣା ଘଟିଛି କମିଶନରେଟ ପୁଲିସର ଚନ୍ଦକା ଥାନା ଅନ୍ତର୍ଗତ ମଳିପଡା ଅଞ୍ଚଳରେ । ସ୍ଥାନୀୟ କେତେକ ଯୁବକ ରାତି ଅଧିଆ ଜେସିବି ଲଗାଇ ଏଭଳି କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ପୂରା କଲୋନୀ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଏନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।
ସେପଟେ କୌଣସି ଚାନ୍ଦା ଲାଗି ଜୋର ଜବରଦସ୍ତ କରିବା ଆଇନ ତ’ ଅପରାଧ ବୋଲି ବାରମ୍ବାର ତାଗିଦ୍ କରାଯିବା ସତ୍ତେ୍ୱ ବି ଏଭଳି ଘଟଣା ପ୍ରମାଣ କରୁଛି ପୁଲିସକୁ ଆଦୌ ଖାତିର କରୁନାହାନ୍ତି କେହି । ମିଳିଥିବା ରିପୋର୍ଟ ଅନୁସାରେ, ମଳିପଡାର କ୍ରିଷ୍ଣାପୁରୀ ଅଞ୍ଚଳରେ ପାଖାପାଖି ୪୦୦ ଲୋକ ପରିବାର ସହ ରହୁଛନ୍ତି । ତେବେ ଦୋଳ ଲାଗି ସ୍ଥାନୀୟ କେତେକ ଯୁବକ ଚାନ୍ଦା ମାଗିବା ଲାଗି କଲୋନୀକୁ ଯାଇଥିଲେ । ମୁଣ୍ଡ ପିଛା ୧ହଜାର ଟଙ୍କା ଦେବା ଲାଗି ଦାବି କରିଥିଲେ । ତେବେ କଲୋନୀର ମୁଖ୍ୟ ସମସ୍ତଙ୍କ ସହ ଆଲୋଚନା କରିବା ପରେ ୩ଶହରୁ ୪ଶହ ଟଙ୍କା ଦେବା ଲାଗି ରାଜି ହୋଇଥିଲେ । ହେଲେ ୧ହଜାର ଟଙ୍କାରୁ କମ ହେଲେ ହେବ ନାହିଁ ବୋଲି ଯୁବକ ମାନେ ରୋକଠୋକ କହିଥିଲେ । ବାସ ଏଠାରୁ ହିଁ ଆରମ୍ଭ ହୋଇଥିଲା ଘଟଣାର ସୂତ୍ରପାତ ।
ଲୋକାଲ ଟୋକା ବୋଲି ତୋଡ ଦେଖାଇ ଏବେ ରାତି ଅଧିଆ ରାସ୍ତା ଖୋଳି ପକାଇଛନ୍ତି । ମୁଖ୍ୟ ରାସ୍ତା ଖୋଳାଯିବା ଯୋଗୁ କଲୋନୀ ଭିତରେ ଗାଡି ମଟର ଅଟକି ରହିଛି । ସହରକୁ ଆସିବାକୁ ହେଲେ ଲୋକଙ୍କୁ ଜଙ୍ଗଲ ଭିତରେ ବୁଲି ବୁଲି ନୟାନ୍ତ ହେବାକୁ ପଡୁଛି । ତେବେ ଏହି ଘଟଣାକୁ ନେଇ ଏବେ କଲୋନୀ ବାସିନ୍ଦା ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।