ପୁରୀ ( ଏଟିଆର ବ୍ୟୁରୋ): ବାତ୍ୟା ଫୋନିକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ପୁରୀ କୋଣାର୍କରେ ଏବେ ବି ସ୍ଥିତି ସ୍ୱଭାବିକ ହୋଇନାହିଁ । ବିଦ୍ୟୁତ ସଯୋଗ କଥା ତ ନକହିଲେ ଭଲ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ପୁରୀ ଜିଲ୍ଲା ଗୋପ ବଜାରକୁ ବିଦ୍ୟୁତ ସଂଯୋଗ ଦିଆଯାଇନଥିବାରୁ ସ୍ଥାନୀୟ ଲୋକେ ଆଜି ପିପିଲି କୋଣାର୍କ ରାସ୍ତା ଗୋପ ତହସିଲ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ବାତ୍ୟାକୁ ୧୮ ଦିନ ବିତିଯାଇଥିଲେ ମଧ୍ୟ ଗୋପ ବଜାରକୁ ବିଦ୍ୟୁତ ଦିଆଯାଇ ନଥିବା ପ୍ରତିବାଦରେ ଏହି ରାସ୍ତା ରୋକ କରାଯାଇଛି ।
ଲୋକମାନେ ସକାଳ ୭ ଟାରୁ ୧୦ ଟା ଯାଏ ପାଖାପାଖି ତିନି ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଖବର ପାଇ ନିମାପଡା ଏସଡିପିଓ, ଗୋପ ଆଇ ଆଇ ସି, ବିଦ୍ୟୁତ ବିଭାଗ ଏସଡିଓ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।
ତେବେ ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି ବିଦ୍ୟୁତ ବିଭାଗ ଠିକ କାମ କରୁନାହିଁ ଯାହା ଫଳରେ ଆଜି ୧୯ ଦିନରେ ବି କାମ ସରି ପାରିଲା ନାହିଁ । ନିମାପଡା ସବଷ୍ଟେସନ ଓ ଗୋପ ଗ୍ରୀଡକୁ ସଂଯୋଗ ଦିଆଯାଇଥିଲେ ମଧ୍ୟ କାହିଁକି ଗୋପ ବଜାର ଅନ୍ଧାରରେ ରହିଛି ତାରକୁ ନେଇ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ ଆଜି ଏହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦଆଯିବ ବୋଲି ପ୍ରତିଶୃତି ମିଳିଛି ।