ସୁନ୍ଦରଗଡ(ଏଟିଆର ବ୍ୟୁରୋ): ଆଜି ପବିତ୍ର ମହା ଶିବରାତ୍ରୀ ଉପଲକ୍ଷେ ଭକ୍ତମାନେ ସୁନ୍ଦରଗଡ ଜିଲ୍ଲାର ଜଟିଆବାବା ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଘଟିଛି ଅଘଟଣ ।
ପାହାଡ ଉପରେ ଥିବା ଜଟିଆବାବା ମନ୍ଦିରକୁ ଯାଉଥିବା ସମୟରେ ଭକ୍ତ ମାନଙ୍କ ଉପରେ ପଥର ଖସି ପଡିବାରୁ ୩୫ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଆଜି ସକାଳେ ସମୟ ପ୍ରାୟ ୧୦ଟା ରେ ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ସମୟରେ ଉପର ପାହାଡରୁ ଏକ ବଡ ପଥର ଖଣ୍ଡ ଖସିଥିଲା । ଏବଂ ସେହି ପଥର ଖଣ୍ଡଟି ଖସି ତଳକୁ ପଡିବା ସମୟରେ ଲୋକଙ୍କ ଦେହରେ ବାଜି ସେମାନଙ୍କୁ ରକ୍ତାତ କରିଥିଲା ।
ପଥର ମାଡରେ ଆହାତ ହୋଇଥିବା ୨୦ଜଣଙ୍କୁ ଚିକିତ୍ସା ପାଇଁ ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ଥିବା ଆଉ ୧୫ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ନିଆଯାଇଛି ।
ତଳୁ ପ୍ରାୟ ୪୦ଫୁଟ ଉଚ୍ଚରେ ଥିବା ଜଟିଆବାବାଙ୍କୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ଶିବରାତ୍ରୀ ସମୟରେ ରାଜ୍ୟ ତଥା ପଡୋଶୀ ରାଜ୍ୟ ଝାଡଖଣ୍ଡରୁ ମଧ୍ୟ ଲୋକ ଦର୍ଶନ କରିବା ପାଇଁ ଆସନ୍ତି ।