ନବରଙ୍ଗପୁର (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇବା ପାଇଁ ବିଜେପି ପକ୍ଷରୁ ନାଗରିକତା ସଂଶୋଧନ ଅଧିନିୟମ ଜନଜାଗରଣ ଅଭିଯାନର ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏଥିରେ ଯୋଗଦେଇ ବିଜେପି ସାଂସଦ ରୂପା ଗାଙ୍ଗୁଲି କହିଛନ୍ତି ଶରଣାର୍ଥୀଙ୍କ ଭିତରେ ସବୁବେଳେ ନାଗରିକତା ପାଇଁ ବ୍ୟାକୁଳତା ଭରି ରହିଥାଏ । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଅଣାଯାଇଥିବା ଏହି ଆଇନରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ତାଡନାର ଶିକାର ହୋଇ ଭାରତକୁ ପଳାଇ ଆସିଥିବା ନାଗରିକଙ୍କ ପାଇଁ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିିଛି ।
ସେ ଏହି ଅବସରରେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ସ୍ୱାଧୀନତାର ୭୦ ବର୍ଷ ଧରି ଏବେବି ପାକିସ୍ତାନରେ ଅଣମୁସଲମାନ ଲୋକଙ୍କୁ ଡରାଇ ଧମକାଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି । ଏହି ଅବସରରେ ରୂପା ଗାଙ୍ଗୁଲି ଏହି ଜନ ସମାବେଶରେ ଯୋଗ ଦେଇଥିବା ଶରଣାର୍ଥୀଙ୍କୁ ଏଇ ଆଇନର ଉପକାରିତା ବିଷୟରେ ବୁଝାଇଥିଲେ । ଏହି ନାଗରିକତା ଆଇନ ଲାଗୁ ହେବା ଫଳରେ ଏବେ ପଡୋଶୀ ଦେଶର ଶରଣାର୍ଥୀଙ୍କୁ ଭାରତରେ ରହିବାର ସ୍ୱୀକୃତି ମିଳି ପାରିବ ଓ ସେମାନଙ୍କୁ ନାଗରିକତା ମିଳି ପାରିବ ।