ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଭୁବନେଶ୍ୱର ରେଳବାଇ ସୁରକ୍ଷା ବଳ କ୍ୟାମ୍ପରେ ଅଘଟଣ । ଟ୍ରେନିଂ ସମୟରେ ଫୁଟିଲା ଗୁଳି । ଆରପିଏଫ ଟ୍ରେନିଂ କ୍ୟାମ୍ପରେ ଘଟିଥିବା ଏହି ଅଘଟଣରେ ଆହତ ହୋଇଛନ୍ତି ଜଣେ ଲାଇନମ୍ୟାନ । ତାଙ୍କ ହାତରେ ଗୁଳିଟି ବାଜିଥିବା ବେଳେ ଚିକିତ୍ସା ଲାଗି ତାଙ୍କୁ ରେଳବାଇ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଭଲ ଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ଆଜି ଯବାନମାନଙ୍କୁ ନେଇ ଏକ ଟ୍ରେନିଂ କାର୍ଯ୍ୟକ୍ରମ ଭୁବନେଶ୍ୱର ଆରପିଏଫ କେନ୍ଦ୍ରରେ ଚାଲୁଥିଲା । ଫାୟାରିଂ ଅଭ୍ୟାସ କରୁଥିଲେ ଯବାନ । ତେବେ ଅଚାନକ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା । କିଛି ବୁଝିବା ପୂର୍ବରୁ ସାମ୍ନାରେ ଥିବା ଜଣେ ଲାଇନମ୍ୟାନଙ୍କ ହାତରେ ଗୁଳିଟି ବାଜିଥିଲା । ସଙ୍ଗେ ସଙ୍ଗେ ଲାଇନମ୍ୟାନଙ୍କୁ ଉଦ୍ଧାର କରାଯାଇ ମଞ୍ଚେଶ୍ୱର ସ୍ଥିତ ରେଳବାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଟ୍ରେନିଂ ସମୟରେ ଏଭଳି ଦୁର୍ଘଟଣାର ଏ ପ୍ରଥମ ଘଟଣା ନୁହେଁ । ପୂର୍ବରୁ ସିଆରପିଏଫ ଓ ସିଆଇଏସଏଫ ଟ୍ରେନିଂ ସମୟରେ ମଧ୍ୟ ଗୁଳି ଫୁଟିଥିବା ନଜରକୁ ଆସିଛି ।